ରାଉରକେଲା : ଛେଣ୍ଡ୍ କଲୋନୀ ଶୁକ୍ରବାର ହାଟ ଖୁବ୍ ଶୀଘ୍ର ହେବ ସ୍ଥାନାନ୍ତର।। ଆରଏମସି କମିଶନର ଙ୍କ ବିଭିନ୍ନ ଉନ୍ନୟନ କାମ ପରିଦର୍ଶନ।

0 192

ତିନିଟି ସ୍ଥାନରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ RMC କମିଶନର। ଶୀଘ୍ର ସ୍ଥାନାନ୍ତର ହେବ କଳିଙ୍ଗ ବିହାରର ଶୁକ୍ରବାର ହାଟ।
ରାଉରକେଲା, ୭/୧୧ (ସତ୍ୟାନ୍ୟୁଜ): ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କରିବା ପାଇଁ ରାଉରକେଲା ମହାନଗର ନିଗମ କମିଶନର ଦୀନା ଦସ୍ତଗୀର୍ ଆଜି ସହରର ତିନୋଟି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଶୁକ୍ରବାର ହାଟ ସ୍ଥାନାନ୍ତର, ରାସ୍ତା ନିର୍ମାଣ ଏବଂ ବୁଲା କୁକୁରଙ୍କ ପାଇଁ କେନେଲ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।
ପ୍ରଥମେ କମିଶନର ଟିସ୍କୋ ନିକଟସ୍ଥ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କଳିଙ୍ଗ ବିହାରରେ ବର୍ତ୍ତମାନ ଚାଲୁଥିବା ଶୁକ୍ରବାର ହାଟକୁ ନୂତନ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ମାଣ ହେଉଥିବା ପିଣ୍ଡିଗୁଡ଼ିକର ଅଗ୍ରଗତି ଯାଞ୍ଚ କରିଥିଲେ। ପ୍ରତି ଶୁକ୍ରବାର ଏହି ହାଟରେ ବହୁ ସଂଖ୍ୟାରେ ବ୍ୟବସାୟୀ ଓ ଗ୍ରାହକଙ୍କ ସମାଗମ ହେଉଥିବାରୁ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଯାତାୟାତରେ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ହାଟକୁ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଆରଏମସି ପକ୍ଷରୁ ଯୋଜନା କରାଯାଇଛି। ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରି ହାଟ ସ୍ଥାନାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆୟୁକ୍ତ ଗୁରୁତ୍ୱାରୋପ କରିଥିଲେ।
ଏହାପରେ କମିଶନର ବସନ୍ତୀ କଲୋନୀର ଇଏମ୍ ବ୍ଲକ୍‌ରେ ଚାଲିଥିବା ପେଭର୍ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ରାସ୍ତା ନିର୍ମାଣରେ ନିର୍ଦ୍ଧାରିତ ମାନଦଣ୍ଡ ଓ ଗୁଣବତ୍ତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ସହରରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଚାଲିଥିବା ପଶୁ ଜନ୍ମ ନିୟନ୍ତ୍ରଣ (Animal Birth Control-ABC) କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ କେନେଲ୍ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଥିଲେ। ଏହି କେନେଲ୍‌ରେ ବୁଲା କୁକୁରମାନଙ୍କୁ ଉପଯୁକ୍ତ ଆଶ୍ରୟ ଓ ରହିବା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ପରିଦର୍ଶନ ସମୟରେ ଆୟୁକ୍ତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ସହରର ନାଗରିକ ସୁବିଧା ବୃଦ୍ଧି, ଟ୍ରାଫିକ୍ ସମସ୍ୟାର ସମାଧାନ, ଉନ୍ନୟନମୂଳକ କାର୍ଯ୍ୟରେ ଗୁଣବତ୍ତା ରକ୍ଷା ଏବଂ ବୁଲା କୁକୁରଙ୍କ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଉପରେ RMC ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.