ରାଉରକେଲା : ଦୀପାବଳି ରେ ଏଥର ଘରେ ଘରେ ଲାଗିବ ସ୍ଥାନୀୟ ଗେଣ୍ଡୁ ଫୁଲ।। କୁଆଁରମୁଣ୍ଡା , ନୂଆଗାଁ ବ୍ଲକ୍ ରେ ବହୁଳ ଗେଣ୍ଡୁ ଚାଷ

0 97

ଦୀପାବଳି ପାଇଁ ଗେଣ୍ଡୁ ଫୁଲ ଚାଷରେ ଚାଷୀଙ୍କ ଆଶା। ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକ୍ ରେ ବଢ଼ୁଛି ଫୁଲ ଚାଷ।
ରାଉରକେଲା, ନଭେମ୍ବର ୭ (ସତ୍ୟାନ୍ୟୁଜ): ଆଲୋକର ପର୍ବ ଦୀପାବଳିକୁ ନେଇ ସବୁଠି ଉତ୍ସାହ ଓ ଉଦ୍ଦୀପନା। ଏହି ପର୍ବରେ ଘରଦ୍ୱାରକୁ ରଙ୍ଗବେରଙ୍ଗ ଆଲୋକରେ ସଜାଇବା ସହ କଦଳୀ ଗଛ, ଆମ୍ବ ଡାଳ ଓ ବିଭିନ୍ନ ପ୍ରକାର ଫୁଲରେ ସଜାଇବାର ପରମ୍ପରା ରହିଛି। ତେବେ ଦୀପାବଳି ସମୟରେ ଗେଣ୍ଡୁ ଫୁଲର ଚାହିଦା ସବୁଠାରୁ ଅଧିକ ରହିଥାଏ।
ଗେଣ୍ଡୁ ଫୁଲର ମାଳରେ ଘରର ମୁଖ୍ୟ ଦ୍ୱାର ସଜାଇବା ସହ ଫୁଲରେ ଭରି ରହିଥିବା ଗେଣ୍ଡୁ ଗଛକୁ ମଧ୍ୟ ଘର ଆଗରେ ରଖି ସୌନ୍ଦର୍ଯ୍ୟ ବଢ଼ାଇଥାନ୍ତି ଲୋକେ। ଏହି କାରଣରୁ ଦୀପାବଳି ସମୟରେ ଗେଣ୍ଡୁ ଫୁଲର ବଜାର ଚାହିଦା ବେଶ୍ ବଢ଼ିଯାଏ।
ପୂର୍ବରୁ ରାଉରକେଲା ସହରକୁ ଦୀପାବଳି ପାଇଁ ଅନ୍ୟ ରାଜ୍ୟରୁ ବହୁ ପରିମାଣରେ ଫୁଲ ଆସୁଥିଲା। ସହରର ବିଭିନ୍ନ ରାସ୍ତାକଡ଼ରେ ଗେଣ୍ଡୁ ଫୁଲର ପସରା ମେଲିଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଫୁଲ ଚାଷ ବେଶ୍ ଲୋକପ୍ରିୟ ହୋଇଛି।
ରାଉରକେଲା ନିକଟସ୍ଥ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକ୍‌ର ବିଭିନ୍ନ ଗାଁରେ ଚାଷୀମାନେ ବ୍ୟାପକ ଭାବେ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି। ବିଶେଷକରି କୁଆଁରମୁଣ୍ଡା ବ୍ଲକ୍‌ର କୁମଝରିଆ ପଞ୍ଚାୟତରେ ଏହି ଚାଷ ବେଶ୍ ଆଦୃତ ହୋଇଛି। ଫୁଲ ଚାଷ ମାଧ୍ୟମରେ ଗ୍ରାମାଞ୍ଚଳର ଅନେକ ଚାଷୀ ରୋଜଗାରର ନୂଆ ପନ୍ଥା ପାଇବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି।
ଚଳିତ ବର୍ଷ ଦୀପାବଳିରେ ଗେଣ୍ଡୁ ଫୁଲର ଭଲ ଚାହିଦା ରହିବ ବୋଲି ଚାଷୀମାନେ ଆଶା ରଖିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ଫୁଲ ବଜାରରେ ଭଲ ଦର ଓ ବିକ୍ରି ସୁଯୋଗ ପାଇବବ ବୋଲି ସେମାନଙ୍କ ଆଶା। ଏହାଦ୍ୱାରା ସ୍ଥାନୀୟ ଫୁଲ ଚାଷୀଙ୍କ ଆୟ ବୃଦ୍ଧି ସହ ଅଞ୍ଚଳରେ ଫୁଲ ଚାଷ ଆହୁରି ଉତ୍ସାହିତ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.