ରାଉରକେଲା : ପୋଲିସ୍ ପଞ୍ଜା ରେ ଆନ୍ତଃରାଜ୍ୟ ସାଇବର୍ ଠକେଇ ସିଣ୍ଡିକେଟ୍ ର ଦୁଇ ସଦସ୍ୟ।। ମୁଲ୍ ଆକାଉଣ୍ଟ ଜରିଆରେ ବିଭିନ୍ନ ରାଜ୍ୟ ରେ ଠକେଇ ନେଟୱାର୍କ ଜାରି ରଖିଥିଲେ।

0 66

ରାଉରକେଲା: ୨୯/୯
(ସତ୍ୟାନ୍ୟୁଜ) ଅନ୍ତରାଜ୍ୟ ସାଇବର୍ ଠକେଇ ସିଣ୍ଡିକେଟ୍ ର ୨ ଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ସିଣ୍ଡିକେଟ୍ ର ଦୁଇ ସଦସ୍ୟ ଶେଖ୍ ଅମାନ୍ ଏବଂ ଜସରାଜ୍ ସିଂ ଙ୍କ ନିକଟରୁ ପୋଲିସ୍ ବ୍ୟାଙ୍କ୍ ପାସ୍ ବୁକ୍ , ଚେକ୍ ବୁକ୍ , କ୍ରେଡିଟ କାର୍ଡ , ଏଟିଏମ୍ କାର୍ଡ ଏବଂ ଅନ୍ୟାନ୍ୟ ଡକୁମେଣ୍ଟ ଜବତ୍ କରିଛି।
ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଟଙ୍କା ଏବଂ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ, ATM କାର୍ଡ, SIM କାର୍ଡ ଏବଂ ପାସବୁକ୍ ସଂଗ୍ରହ କରି ସାଇବର ଠକମାନଙ୍କୁ ଆର୍ଥିକ ଲାଭ ବଦଳରେ ଯୋଗାଇ ଦେଉଥିଲେ।

ରାଉରକେଲା ସାଇବର ସେଲ୍ ମାଧ୍ୟମରେ କରାଯାଇଥିବା ଯାଞ୍ଚରୁ ୧୧ଟି ବ୍ୟାଙ୍କ ଆକାଉଣ୍ଟ ସହ ପ୍ରାୟ ୨୦ଟି ସାଇବର ଅପରାଧ ଅଭିଯୋଗ ସଂପୃକ୍ତ ଥିବା ଜଣାପଡ଼ିଛି। ଏହି ଅଭିଯୋଗଗୁଡ଼ିକ ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ବିଭିନ୍ନ ରାଜ୍ୟରୁ ଆସିଥିବା ଜଣାପଡ଼ିଛି।

ଉକ୍ତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ପ୍ରାୟ ₹୨୫ ଲକ୍ଷର ସାଇବର ଠକେଇ ଜନିତ ଆର୍ଥିକ କାରବାର ହୋଇଥିବା ତଦନ୍ତରୁ ଜଣା ପଡିଛି। ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ଯୋଗାଇବା ପାଇଁ ଅଭିଯୁକ୍ତମାନେ ପ୍ରାୟ ₹୧୫,୦୦୦ ପାଉଥିବା ମଧ୍ୟ ଜଣାପଡ଼ିଛି।

ଏହି ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍ ର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବା ଏବଂ ଆର୍ଥିକ କାରବାରର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଅଧିକ ଅନୁସନ୍ଧାନ ଜାରି ରହିଛି।

Leave A Reply

Your email address will not be published.