ରାଉରକେଲା:୨୯/୪(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ ବେଳେ ଗତକାଲି ଉତ୍ତେଜନା ଦେଖାଯାଇଥିଲା।
ଆରଏସପି କାମ ଆରମ୍ଭ କରିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଗ୍ରାମବାସୀ ଏବଂ ପୋଲିସ୍। କିନ୍ତୁ ଆଜି ସକାଳେ ରାଉରକେଲା ଷ୍ଟିଲପ୍ଲାଣ୍ଟ ପରିସର ପାଚେରୀ ନିକଟରେ କାମ ଆରମ୍ଭ ହୋଇଛି। ୨୨ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଥିବା ବେଳେ ଆରଏସପି କର୍ତ୍ତୃପକ୍ଷ ଆଜି କୌଣସି ବିରୋଧର ସମ୍ମୁଖୀନ ହୋଇ ନାହାନ୍ତି। ଆଜି ଜେସିବି ଲଗାଇ ଏରିଆକୁ ସମତଳ କରା ଯାଇଥିବା ବେଳେ ବାଡ ଘେରା ଯାଇଛି। ଗତକାଲି ଉଚ୍ଛେଦକୁ ବିଜୁବନ୍ଧ ଗାଁ ଲୋକେ ପ୍ରବଳ ବିରୋଧ କରିଥିବା ବେଳେ ଘଟଣାସ୍ଥଳରେ ପ୍ରାୟ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ରାଉରକେଲା ଏସପି ନୀତେଶ ୱାଧୱାନି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆରଏସପି ସମ୍ପ୍ରସାରଣ ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଦୁଇଦିନ ଧରି ରାଉରକେଲାରେ ଡେରା ପକାଇଥିଲେ। କାମ ଆରମ୍ଭ ପରେ ଆଜି ସେ ଭୁବନେଶ୍ୱର ଫେରି ଯାଇଛନ୍ତି। ଗତକାଲି ଗ୍ରାମବାସୀ ମାନେ ଧନୁତୀର ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ବିରୋଧ କରୁଥିବା ବେଳେ ପୋଲିସ୍ ୧୮ ଜଣଙ୍କୁ ଅଟକ ରଖିଥିଲା। ଧନୁତୀର ଜବତ କରା ଯିବ ସହ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି । ତେବେ ଆରଏସପି ର ଏହି ସମ୍ପ୍ରସାରଣ କୁ ଶ୍ରମିକ ସଂଘ ନେତା ମାନେ ନିହାତି ଆବଶ୍ୟକ ବୋଲି କହିଛନ୍ତି ।
ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ଲାଗି ୩୦ ହଜାର କୋଟି ଟଙ୍କା ବରାଦ ହୋଇଥିବା ବେଳେ ଆବଶ୍ୟକୀୟ ଜମି ମିଳୁନାହିଁ। ଜବରଦଖଲ ହଟାଇବାକୁ ରବିବାର ଦିନ
ଆରଏସପି ଅଧିକାରୀ , ସ୍ଥାନୀୟ ପ୍ରଶାସନ , ଗ୍ରାମବାସୀଙ୍କ ମଧ୍ୟରେ ତ୍ରିପକ୍ଷୀୟ ଆଲୋଚନା ହୋଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇ ପାରି ନଥିଲା। ଗ୍ରାମବାସୀ ସମୟ ମାଗିଥିବା ବେଳେ ଆଜି ଆରଏସପି ପକ୍ଷରୁ କାମ ଆରମ୍ଭ ହୋଇଛି।