ରାଉରକେଲା: ୧୫/୯
(ସତ୍ୟାନ୍ୟୁଜ) ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ପାଇଁ ଗାଁରୁ ସହର ସବୁ ଆଡେ ପରିବେଶ ଚଳଚଞ୍ଚଳ। ଆଜି ଦିନରେ ପରିବାରର ସମସ୍ତ ସଦସ୍ୟ ମାନେ ଏକ ସଙ୍ଗରେ ବସି ନବାନ୍ନ ଗ୍ରହଣ କରି ଥାଆନ୍ତି। ଇଷ୍ଟ ଦେବୀଙ୍କ ନିକଟରେ ନୂତନ ଚାଉଳ , କ୍ଷୀର , ଗୁଡ଼ , ଘିଅ ଏବଂ ବିଭିନ୍ନ ଫଳମୂଳ ମିଶ୍ରଣରେ ପ୍ରସ୍ତୁତ ନବାନ୍ନ ଭୋଗ ଲାଗି କରାଯାଏ। ଦେବୀଙ୍କ ନିକଟରେ ନୂଆ ଚଢ଼ା ଯିବା ପରେ ସମଗ୍ର ଅଞ୍ଚଳରେ ଘରେ ଘରେ ପୂଜାର୍ଚ୍ଚନା ଆରମ୍ଭ କରାଯାଏ।
ରାଉରକେଲା ହନୁମାନ ବାଟିକା ରେ ଥିବା ମା ସମଲେଶ୍ୱରୀ ମନ୍ଦିରରେ ମଧ୍ୟ ଆଜି ଏହି କୃଷି ଭିତ୍ତିକ ଗଣ ପର୍ବ ପାଳନ ଅବସରରେ ପୂଜାର୍ଚ୍ଚନା ସହ ନୂତନ ଅନ୍ନ ମା ଙ୍କୁ ଅର୍ପଣ କରା ଯାଇଥିଲା। ଇଷ୍ଟ ଦେବୀଙ୍କୁ ସମର୍ପଣ ପରେ ସମସ୍ତେ ସାଙ୍ଗ ହୋଇ ନବାନ୍ନ ଗ୍ରହଣ କରିଥିଲେ। ଆସନ୍ତା ୧୭ ତାରିଖରେ କମିଟି।ପକ୍ଷରୁ ସିଭିକ ସେଣ୍ଟର୍ ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆଜି ସାରା ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି।
ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ , ସୁନ୍ଦରଗଡ଼ ରେ ଶେଖର ବାସିନୀ , ବଲାଙ୍ଗୀର ଏବଂ ପାଟଣାଗଡରେ ମା ପାଟଣେଶ୍ୱରି , ସୁବର୍ଣ୍ଣପୁର ରେ ମା ସୁରେଶ୍ଵରୀ , କଳାହାଣ୍ଡିରେ ମା ମାଣିକଶ୍ବରୀ ମନ୍ଦିରରେ ସ୍ଥିରୀକୃତ ମୁହୂର୍ତ୍ତରେ ମୁଖ୍ୟ ପୂଜକଙ୍କ ଦ୍ୱାରା ନବାନ୍ନ ଭୋଗ ଲାଗି କରା ଯାଇଛି।