କୋରାପୁଟ : ୨୦୦ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ତେଲ ଜବତ୍।। ୭ ଗିରଫ।। ଜଳଭଣ୍ଡାର ମଧ୍ୟରେ ଥିବା ଟାପୁ ରେ ଚାଲିଥିଲା ଗଞ୍ଜେଇ ତେଲ କାରଖାନା।।
କୋରାପୁଟ:୧/୩(ସତ୍ୟାନ୍ୟୁଜ) ଚାରି ଆଡେ଼ ଗଭୀର ଜଳ ରାଶି। ମଝିରେ ଅଛି ଏକ ଟାପୁ। ସେଠାରେ ଚାଲିଥିଲା ବଡ ଧରଣର ନିଶା ଦ୍ରବ୍ୟ କାରବାର। କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାର ଭିତରେ ଥିବା ଜଙ୍ଗଲିଆ ଟାପୁ ରେ ଚାଲିଥିଲା ଗଞ୍ଜେଇ ତେଲ ପ୍ରସ୍ତୁତି କାରଖାନା। ନିଶା ଦ୍ରବ୍ୟ ସିଣ୍ଡିକେଟ୍ ର କିଙ୍ଗପିନ୍ କେରଳର ଆଲେନ୍ ଜୟରାଜ୍ ଏହି ନିଶା କାରବାର ଓଡ଼ିଶା ମାଟିରେ କରୁଥିଲା । ସୂଚନା ପାଇ କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ବୋଟ୍ ରେ ଯାଇଁ ଚଢାଉ କରିଥିଲେ। ଉକ୍ତ ଟାପୁ ରୁ ପ୍ରାୟ ୨୦୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ତେଲ ଏବଂ ସୁଖା ଗଞ୍ଜେଇ ଜବତ କରିଛନ୍ତି। ପୋଲିସ୍ ଚଢାଉ ବେଳେ ଡ୍ରଗ୍ସ ସିଣ୍ଡିକେଟ୍ ସଦସ୍ୟ ମାନେ ଫେରାର ହୋଇ ଯାଇଥିଲେ। ପ୍ରାୟ ୩୦ ଘଣ୍ଟା ଅପରେସନ୍ ପରେ ପୋଲିସ୍
କିଙ୍ଗପିନ୍ ଜୟରାଜ୍ ସମେତ କେରଳର ୪ ଜଣ ଡ୍ରଗସ୍ ମାଫିଆଙ୍କୁ ଗିରଫ କରିଛନ୍ତି। ପରେ ଡ୍ରଗ୍ସ ମାଫିଆଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗରେ ୩ ଜଣ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଗିରଫ କରା ଯାଇଛି। ଫେରାର ଡ୍ରଗ୍ସ ମାଫିଆଙ୍କୁ ଧରିବାକୁ ପୋଲିସ୍ ଡ୍ରୋନ୍ ବ୍ୟବହାର କରିଥିଲେ। ଏହି ନିଶା କାରବାର ର ଚେର ବହୁ ଦୂର ଲମ୍ବି ଥିବାରୁ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଦକ୍ଷିଣ – ପଶ୍ଚିମାଞ୍ଚଳ ଡିଆଇଜି କନୱର୍ ବିଶାଲ ସିଂ କହିଛନ୍ତି।