ରାଉରକେଲା : ବର୍ଷା ଯୋଗୁଁ ଲାଇନ୍ କଡ଼ରୁ ଖସିଲା ମାଟି।। ରାଜଗାଙ୍ଗପୁର – ରାଉରକେଲା ସେକ୍ସନ ମଧ୍ୟରେ ଟ୍ରେନ୍ ଚଳାଚଳ ପ୍ରଭାବିତ।

0 80

ହାୱଡ଼ା–ମୁମ୍ବାଇ ରେଳପଥରେ ଟ୍ରାକ୍ ୱାଶଆଉଟ୍, ରାଉରକେଲା–ରାଜଗାଙ୍ଗପୁର ମଧ୍ୟରେ ଅପ୍ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ
ରାଉରକେଲା: ଲଗାଣ ବର୍ଷାରେ ହାୱଡ଼ା–ମୁମ୍ବାଇ ରେଳପଥର ରାଉରକେଲା–ରାଜଗାଙ୍ଗପୁର ସେକ୍ସନ୍‌ରେ ରେଳ ଚଳାଚଳ ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରେଳ ଟ୍ରାକ୍ ତଳୁ ମାଟି ଧୋଇଯାଇ ତିନୋଟି ସ୍ଥାନରେ ୱାଶଆଉଟ୍ ପରିସ୍ଥିତି ସୃଷ୍ଟି ହୋଇଛି।
ପାନପୋଷ ନିକଟ କିମି ୪୧୫/୧୯–୨୪ ଏବଂ କଲୁଙ୍ଗା ନିକଟ କିମି ୪୧୮/୧୧–୧୩ରେ ଟ୍ରାକ୍ ପ୍ରଭାବିତ ହୋଇଛି। ଏହାସହ ରାଉରକେଲା ବସନ୍ତୀ କଲୋନୀ ନିକଟରେ ମଧ୍ୟ ଟ୍ରାକ୍ ତଳୁ ମାଟି ଧୋଇଯାଇଥିବା ଖବର ମିଳିଛି।
ସୁରକ୍ଷା ଦୃଷ୍ଟିରୁ ସକାଳ ୯ଟାରୁ ରାଉରକେଲା–ରାଜଗାଙ୍ଗପୁର ଅପ୍ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ତୃତୀୟ ଲାଇନ୍‌ରେ ଟ୍ରେନ୍‌ଗୁଡ଼ିକୁ ଘଣ୍ଟାପ୍ରତି ୩୦ କିମି ବେଗରେ ଚଳାଚଳ କରାଯାଉଛି।
ସେପଟେ ରହମତନଗର ଷ୍ଟେସନ୍ ନିକଟରେ ରେଳ ଲାଇନ୍ ପାର୍ଶ୍ୱରେ ପାଣି ଜମି ରହିବା ଯୋଗୁଁ ବିପଦ ବଢ଼ିଛି। ରେଳବାଇ ପକ୍ଷରୁ ବଣ୍ଡାମୁଣ୍ଡାରେ ରିଲିଫ୍ ଓ ମରାମତି କାର୍ଯ୍ୟ ପାଇଁ ମୌସୁମୀ ସ୍ପେଶାଲ୍ ଟ୍ରେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଟ୍ରାକ୍ ପ୍ରଭାବିତ ହେବାରୁ ଉତ୍କଳ ଏକ୍ସପ୍ରେସ୍, ଜାଲିଆନୱାଲା ବାଗ୍ ଏକ୍ସପ୍ରେସ୍, ହମସଫର୍ ଏକ୍ସପ୍ରେସ୍, ହାୱଡ଼ା–ପୁଣେ ଦୁରନ୍ତୋ, ପରୀକ୍ଷା ସ୍ପେଶାଲ୍, ଇସ୍ପାତ ଏକ୍ସପ୍ରେସ୍ ଓ ମୌର୍ଯ୍ୟ ଏକ୍ସପ୍ରେସ୍ ସମେତ ଏକାଧିକ ଟ୍ରେନ୍ ପ୍ରଭାବିତ ହୋଇଛି।
ରେଳବାଇର ବୈଷୟିକ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ଓ ମରାମତି କାର୍ଯ୍ୟ ଜାରି ରଖିଛି। ସୁରକ୍ଷା ଯାଞ୍ଚ ପରେ ହିଁ ସାଧାରଣ ଟ୍ରେନ୍ ଚଳାଚଳ ପୁନଃ ଆରମ୍ଭ ହେବ।

Leave A Reply

Your email address will not be published.