ରାଉରକେଲା : ରାଉରକେଲା ସମେତ ଜିଲ୍ଲାରେ ପ୍ରକୃତି ର ତାଣ୍ଡବ।। ପ୍ରବଳ ବର୍ଷାରେ ସହର ଉବୁଟୁବୁ।। ବର୍ଷା ଜାରି ରହି ଥିବାରୁ ଲୋକେ ଆତଙ୍କିତ।
ରାଉରକେଲା: ୧୩/୮
(ସତ୍ୟାନ୍ୟୁଜ) ଆଜି ସକାଳୁ ସକାଳୁ ରାଉରକେଲା ରେ ହୋଇଥିବା ବାଦଲ ଫଟା ବର୍ଷା ର ପ୍ରଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଗତ କାଲି ରାତି ସାରା ବର୍ଷା ହେଉଥିଲା। ମାତ୍ର ସକାଳୁ ପ୍ରକୃତି ର ତାଣ୍ଡବ ଦେଖିବାକୁ ମିଳିଥିଲା। ୨ ଘଣ୍ଟା ଧରି ଅତି ପ୍ରବଳ ବର୍ଷା ହେବା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ପାଣିରେ ବୁଡି ଯାଇଥିଲା। ରିଙ୍ଗ ରୋଡ ହେଉ କି ମେନ୍ ରୋଡ , ଯୁଆଡେ ଚାହିଁଲେ ପାଣି ଆଉ ଖାଲି ପାଣି। ବାସନ୍ତୀ କଲୋନୀ , ଛେଣ୍ଡ୍ କଲୋନୀ ଠାରୁ ନେଇ ବନ୍ଧମୁଣ୍ଡା ତିଲକା ନଗର ପର୍ଯ୍ୟନ୍ତ ପାଣିରେ ବୁଡି ରହିଥିଲା। ଡେଲି ମାର୍କେଟ , ଗୁରୁଦ୍ୱାରା ରୋଡ , ବିରଜା ପାଲି , ଜଲଦା , ପାନପୋଷ ସହ ବିଭିନ୍ନ ବସ୍ତି ଅଞ୍ଚଳ ରେ ପାଣି ପଶି ଯାଇଥିଲା। ପ୍ଲାଣ୍ଟ ସାଇଟ୍ ରୋଡ ନିକଟରେ ଥିବା ଶାରଳା ବଜାର ବସ୍ତି ଅଞ୍ଚଳର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ପ୍ଲାଣ୍ଟ ସାଇଟ୍ ଥାନା ଇନ୍ସପେକ୍ଟର ଙ୍କ ସହ ଥାନା ଷ୍ଟାଫ୍ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଲୋକ ମାନଙ୍କୁ ସାହାଯ୍ୟ କରିଥିଲେ। ଏଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳି ଥିଲା। ଘରେ ପାଣି ପଶି ଯାଇଥିବାରୁ ଜଣେ ମା ତାର ୧ ମାସର ଶିଶୁ ପୁତ୍ରକୁ ଧରି ବର୍ଷାରେ ୪ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଠିଆ ହୋଇଥଲେ। ଏହା ଚଳିତ ସିଜନ୍ ର ସବୁଠାରୁ ବଡ ବର୍ଷା ଥିଲା।