ଜଳବନ୍ଦୀ ସ୍ଥିତିରେ କୋଇଡା ଖଣି ଅଞ୍ଚଳ
ଶତାଧିକ ଘର ବୁଡିଗଲାଣି, ଘରେ ପଡି ରହିଛନ୍ତି ପରିବାର ବର୍ଗ
ସହାୟତା ପାଇଁ ପହଞ୍ଚିଲା ପ୍ରସାଶନ ,ବଣ୍ଟା ହେଲା ରନ୍ଧା ଖାଦ୍ୟ
କୋଇଡା: ୧୩/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଭୋର୍ ୩ ଘଟିକା ସମୟରୁ ଅତିରୁ ଅତି ପ୍ରବଳ ବର୍ଷା ଜାରି ରହିଥିବାରୁ ସମ୍ପୁର୍ଣ୍ଣ କୋଇଡା ଅଞ୍ଚଳ ଜଳମଗ୍ନ ପରିସ୍ଥିତି , ସମ୍ପୁର୍ଣ୍ଣ ଭାବେ ବନ୍ୟାସ୍ଥିତି ମଧ୍ୟରେ ଶତାଧିକ ପରିବାର ବାସହରା ହୋଇପଡିଲେ , ଯୁଆଡେ ଆଖି ଯାଉଥାଏ କେବଳ ପାଣି ହିଁ ପାଣି । ପ୍ରବଳ ବର୍ଷା ଯୋଗୁଁ ପାହାଡ ଉପରୁ ପୁଣି ଥରେ ମାଡ଼ି ଆସିଲା ବର୍ଷାଜଳ ,ଏମିତିକି ବର୍ଷା ଛାଡିବାର ନାଁ ଧରୁନି । କୋଇଡା ବ୍ଲକ୍ ବିଶେଷ କରି ଆର୍ୟନବସ୍ତି , ମାଲଦା ପଞ୍ଚାୟତ ,ପାଟମୁଣ୍ଡା ପଞ୍ଚାୟତ , କେରକେଟା ସାହି , ଗୋପପୁର ସାହି ସମ୍ପୁର୍ଣ୍ଣ ଜଳମଗ୍ନ । ୧୦୦ ରୁ ଅଧିକ ପରିବାର ଏବେବି ଜଳବନ୍ଦୀ ଅବସ୍ଥାରେ ପଡିରହିଛନ୍ତି । ସବୁ ଘରେ ଛାତି ଲେଖାଏଁ ପାଣି । ଘରର ସମସ୍ତ ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଖଟ , ଫ୍ରିଜ୍ , ଆଲମିରା , ଚୁଲି , ଗ୍ୟାସ୍ ସବୁ ଭାସୁଥାଏ ।ମଣିଷ ଠାରୁ ଜୀବ ଜନ୍ତୁ ଯାହାକୁ ଯେଉଁଠି ଆଶ୍ରୟ ମିଳିଲା ସେଠାରେ ମୁଣ୍ଡ ଗୁଞ୍ଜି ଅସହାୟ ହୋଇ ପଡିରହିଲେ । ଅଚାନାକ୍ ହୋଇଥିବା ଏ ପରିସ୍ଥିତି ରେ ଯୁଦ୍ଧ କାଳୀନ ଭିତ୍ତିରେ ସହାୟତା ପହଞ୍ଚାଇବା ପାଇଁ ଦାବୀ କରିଥିଲେ ଅଞ୍ଚଳ ବାସୀ ।
ଅନ୍ୟପଟେ ଅପରାହ୍ନ ରେ ବିପନ୍ନ ଙ୍କ ନିକଟରେ ରନ୍ଧା ଖାଦ୍ୟ ସହ ରିଲିଫ୍ ସାମଗ୍ରୀ ନେଇ କୋଇଡା ତହସିଲଦାର ଚିନ୍ମୟ ଦାସ , ବିଡିଓ ରଶ୍ମିରେଖା ପାତ୍ର , ରାଜସ୍ଵ ନିରିକ୍ଷକ ଦିପକ ନାୟକ ,ପଞ୍ଚାୟତ ଅଧିକାରୀ ସୌନ୍ଦର୍ଯ୍ୟ ତନ୍ତୀ, ସରପଞ୍ଚ ହୃଷିକେଶ ଦେହୁରୀ ଆଦି ପହଞ୍ଚି ସହାୟତା ପ୍ରଦାନ କରିବା ସହ ବାଧାପ୍ରାପ୍ତ ନାଳ ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତିକୁ ଜେସିବି ମେସିନ୍ ଲଗାଇ ନାଳକୁ ଘଭୀର ଭାବେ ଖୋଳି ବନ୍ଧ ବାନ୍ଧି ସୁଚାରୁ କରିଥିଲେ । ହେଲେ ଦୈବିକ ବିପର୍ଯ୍ୟୟ ଠାରୁ କୋଇଡା ଖଣି ଅଞ୍ଚଳରେ ଜମି ଜବରଦଖଲ ଓ ବେଆଇନ ଭାବେ ଗଢିଉଠିଥିବା ଅଟ୍ଟାଳିକା, ପ୍ରାକୃତିକ ପ୍ରବାହିତ ନାଳ କୁ ମାଟି ପୋତିବା ଫଳସ୍ୱରୁପ ବେଶୀ କ୍ଷତି ପହଞ୍ଚାଇବା ସ୍ଥିତି ପରିଲକ୍ଷିତ ହୋଇଥିଲା ।