ରାଉରକେଲା : ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଜି ମଧ୍ୟ ଚାଲିଛି ପୋଲିସ ର ମାଓବାଦୀ ଦମନ ଅପରେସନ।। ଗତକାଲି ଅପରେସନରେ ୧୫ ନକ୍ସଲ ନିହତ ହୋଇଥିଲେ।
ରାଉରକେଲା:୨୩/୧(ସତ୍ୟାନ୍ୟୁଜ) ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତରେ ଗତକାଲି ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମଧ୍ୟ ଅପରେସନ୍ ଜାରି ରହିଛି। ଗୁରୁବାର ଦିନ ଭୋରୁ ଆରମ୍ଭ ହୋଇଥିବା ଏହି ଅପରେସନ ରେ ନକ୍ସଲ ସଂଗଠନ ର ଶୀର୍ଷ ନେତା ଏରିଆ କମାଣ୍ଡର ଅନଲଦା ଓରଫ ପତିରାମ୍ ମାଝି ସହ ୧୫ ନକ୍ସଲ ନିହତ ହୋଇଛନ୍ତି । ୧୧ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ନିହତ ଅନଲଦା ଙ୍କ ମୁଣ୍ଡ ଉପରେ ଝାରଖଣ୍ଡ ସରକାରଙ୍କ ୧ କୋଟି ୨୦ ଲକ୍ଷ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରା ଯାଇଥିଲା। ସରଣ୍ଡା ଜଙ୍ଗଲରେ ନକ୍ସଲ ମାନେ ବଡ଼ ଧରଣର ହିଂସାକାଣ୍ଡ କରିବାକୁ ଏକାଠି ହୋଇଥିବା ପୋଲିସ୍ କୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ କୋବ୍ରା ବାହିନୀ , ଜାଗୁଆର ଏବଂ ସିଆରପିଏଫ୍ ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ନକ୍ସଲ ମାନେ ଖସି ଯିବାକୁ ଉଦ୍ୟମ ବେଳେ ଗୁଳି ବିନିମୟ ହୋଇଥିଲା। ୧୫ ଜଣ ନକ୍ସଲ ଗୁଳି ବିନିମୟରେ ମୃତ୍ୟୁ ବରଣ କରିଥିବା ବେଳେ ଆଉକିଛି ମୃତାହତ ହୋଇଥିବା ଅନୁମାନ କରାଯାଉଛି। ସୀମାନ୍ତରେ ନକ୍ସଲଙ୍କ ଗତିବିଧି ଉପରେ କଡା ନଜର ରଖାଯିବା ସହ କୁମ୍ବିଂ ଅପରେସନ କୁ ଜୋରଦାର କରାଯାଇଥିବା ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ କହିଛନ୍ତି ।