ରାଉରକେଲା : କୋଏଲ ନଗର ରିକ୍ରେସନ୍ ପାର୍କ ର ତାଲା ଭାଙ୍ଗି ପଶିଲେ ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ।। ବନ୍ଦ ରହିଥିବା କାମ ଆରମ୍ଭ।
ରାଉରକେଲା:୧୨/୧(ସତ୍ୟାନ୍ୟୁଜ) ଶେଷରେ କୋଏଲ ନଗର ରିକ୍ରେସନ୍ ପାର୍କ ର ତାଲା ଭାଙ୍ଗି ପଶିଲେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ। ବହୁ ଦିନରୁ ମୁଖ୍ୟ ଗେଟ୍ ରେ ତାଲା ପକାଇ ରଖିଥିଲେ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ। ଏହି ଘଟଣାକୁ ନେଇ ସ୍ମାର୍ଟ୍ ସିଟି ଲିମିଟେଡ ଏବଂ ଫରେଷ୍ଟ କର୍ପୋରେସନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ତେବେ ସହର ବାସୀଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ ର କାମ କେବେ ସରିବ ତାର ଉତ୍ତର କାହା ପାଖରୁ ମିଳି ପାରୁ ନାହିଁ।
୫ ବର୍ଷ ପୂର୍ବରୁ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା କୋଏଲ ନଗର ରିକ୍ରେସନ୍ ପାର୍କ ର ନିର୍ମାଣ କାମ। ୪୨ ଏକର ଜମିରେ ୨୩ କୋଟି ଅର୍ଥ ବିନିମୟରେ ସ୍ମାର୍ଟ ସିଟି ଲିମିଟେଡ ର ଏହା ଥିଲା ମେଗା ପ୍ରୋଜେକ୍ଟ। ଏହି ପ୍ରକଳ୍ପ କରିବାକୁ ଓଡ଼ିଶା ଫରେଷ୍ଟ କର୍ପୋରେସନ କୁ ଦାୟିତ୍ୱ ଦେଇଥିଲେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ। ଅନ୍ୟ ଠିକା କମ୍ପାନୀ କୁ କାମ ଦେଇ କର୍ପୋରେସନ ପ୍ରାୟ ସତୁରି ପ୍ରତିଶତ କାମ କରିଥିଲେ। ମାତ୍ର ଆସିଥିବା ଅର୍ଥ ସରି ଯିବାରୁ କାମ ବନ୍ଦ ରହିଥିଲା। ଏହି ପାର୍କ ମଧ୍ୟରେ ରହିଛି ଏକ ଛୋଟ ଲେକ୍। ଏକ ସଙ୍ଗେ ୪ ଟି ବିବାହ ଉତ୍ସବ କରିବାକୁ ପର୍କରେ ସମସ୍ତ ଭିତ୍ତି ଭୂମିର ବ୍ୟବସ୍ଥା କରା ଯାଇଛି। ଏକ ସୁନ୍ଦର ଶିଶୁ ଉଦ୍ୟାନ ମଧ୍ୟ ରହିଛି। ଏହି କାମ ସରୁ ନଥିବାରୁ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବର୍ଷେ ହେଲା ଫରେଷ୍ଟ କର୍ପୋରେସନ ଗେଟ୍ ରେ ତାଲା ପକାଇ ରଖିଥିବାରୁ ସ୍ମାର୍ଟ ସିଟି ମଧ୍ୟ କାମ କରି ପାରୁ ନଥିଲା। ଶେଷରେ ଆଜି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଗେଟ୍ ତାଲା ଭାଙ୍ଗି କାମ ଆରମ୍ଭ କରିଛନ୍ତି। କାମ ପୁଣି ଆରମ୍ଭ ହୋଇ ଥିବାରୁ ଖୁବ୍ ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବା ନେଇ ଆଶା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ଫରେଷ୍ଟ କର୍ପୋରେସନ ଅଧିକାରୀ ବିଶ୍ୱଜିତ୍ ରାଉତ ନିଜ ପ୍ରତିକ୍ରିୟା ରଖିଥିବା ବେଳେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।