ରାଉରକେଲା : କୋଇଡା ରେ ମାଙ୍ଗାନିଜ ପଥର ଉପରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି।। ମାଙ୍ଗାନିଜ ବୋଝେଇ ଟ୍ରକ୍ ଜବତ ସହ ଡ୍ରାଇଭର ଗିରଫ।
ରାଉରକେଲା : ୨୫/୧୨
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଖଣି ଅଞ୍ଚଳ ସରକାରଙ୍କୁ ରାଜସ୍ବ ପ୍ରଦାନ ଉପରେ ବେଶ୍ ଗୁରୁତ୍ଵ ବହନ କରେ। ଏବେ ଜଙ୍ଗଲ ମଧ୍ୟରେ ଥିବା ମାଙ୍ଗାନିଜ୍ ଖଣି ଓ ମାଙ୍ଗାନିଜ୍ ପଥର ଉପରେ ରାଜ୍ୟ ଓ ରାଜ୍ୟ ବାହାର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ସ୍ଥାନୀୟ ଶ୍ରମିକ ନ ମିଳିଲେ ମଧ୍ୟ ଦିନ ଦ୍ୱିପହରରେ ମେସିନ୍ ବ୍ୟବହାର କରି ଚୋରି ହେଉଛି ମାଙ୍ଗାନିଜ୍। ଏପରି ଚୋରି କିପରି ସମ୍ଭବ ହେଉଛି, ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ଖଣି ମାଫିଆ ମାନେ ନିଜେ ଆସି ଗାଡ଼ି ଲୋଡିଂ କରୁନଥିବା ବେଳେ, କିଛି ସ୍ଥାନୀୟ ବେକାର ଯୁବକ ଙ୍କୁ ଏହି କାମରେ ଲଗାଇ ଦେଇଛନ୍ତି। ଅର୍ଥ ଲୋଭରେ ରାତି ଅଧିଆ ଚୋରା ଗାଡ଼ି ଲୋଡ୍ କରାଉଥିବା ଅଭିଯୋଗ ହେଉଛି। ସେହିପରି କିଛି ପ୍ରଭାବଶାଳୀ ସରକାରୀ ଅଧିକାରୀଙ୍କ ଆଶୀର୍ବାଦ ଯୋଗୁଁ ଖଣି ମାଫିଆ ସାହସ ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଗତକାଲି ମଧ୍ୟରାତ୍ରୀରେ କୋଇଡା ବ୍ଲକ୍ ଅନ୍ତର୍ଗତ ପଟବେଡା ଜଙ୍ଗଲ ମଧ୍ୟରୁ ମାଙ୍ଗାନିଜ ପଥର ଲୋଡ୍ କରୁଥିବା ଏକ ଟ୍ରକ୍ ଏବଂ ଜେସିବି କୁ ବନ ବିଭାଗ ଜବତ କରିଛି।ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ଫରେଷ୍ଟର ପ୍ରତାପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ସହ ଜେସିବି ଜବତ କରି ଥିଲେ। ବନ ବିଭାଗ ଡ୍ରାଇଭରକୁ ମଧ୍ୟ ଗିରଫ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି କାହା ବଳରେ ଚାଲିଛି ଏହି ଖଣି ଚୋରି? କାହିଁକି ଖଣି ଚୋରିକୁ ରୋକିବାରେ ବିଫଳ ହେଉଛି ବନ ବିଭାଗ? ଖଣି ମାଫିଆ ଓ ସରକାରୀ ବାବୁଙ୍କ ମଧ୍ୟରେ କିଛି ଗୁପ୍ତ ସମ୍ପର୍କ ରହିଛି କି! ଏନେଇ ସାଧାରଣରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଏହାର ତଦନ୍ତ କରିବାକୁ ଦାବି ହେଉଛି।