ରାଉରକେଲା : ସହର ରାସ୍ତାରେ ଆଉ ରହିବ ନାହିଁ ଗର୍ତ୍ତ ଏବଂ ଖାଲ।ମାର୍ଚ୍ଚ ମାସ ସୁଦ୍ଧା ସହରର ସମସ୍ତ ରାସ୍ତା ମରାମତି ହେବ।
ଆରଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସମନ୍ଵୟ ବୈଠକ ଅନୁଷ୍ଠିତ
ଆଗାମୀ ମାର୍ଚ୍ଚ ସୁଦ୍ଧା ଗର୍ତ୍ତ-ମୁକ୍ତ ହେବ ସହରର ରାସ୍ତା
ରାସ୍ତା ଖୋଳିବା ପୂର୍ବରୁ ଆରଏମସି ଠାରୁ ନେବାକୁ ପଡ଼ିବ ଅନୁମତି
ରାଉରକେଲା : ୧୩/୧୨
(ସତ୍ୟାନ୍ୟୁଜ) ରାଉରକେଲା ସହରର ରାସ୍ତା ଘାଟ ରେ ଏବେ ରହିବ ନାହିଁ ଗାଢ଼। ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ସମସ୍ତ ଗର୍ତ୍ତ କୁ ଭରି ରାସ୍ତା କୁ ସୁନ୍ଦର ଏବଂ ସୁଗମ କରାଯିବ। ଏପରି କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିନା ଦସ୍ତଗିର୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସହରର ସମସ୍ତ ରାସ୍ତା କୁ ଗର୍ତ୍ତ ମୁକ୍ତ କରାଯିବ।
ସମସ୍ତ ବିଭାଗର ସହଯୋଗରେ ରାଉରକେଲାର ବିକାଶ ଯେପରି ଶୀର୍ଷରେ ପହଞ୍ଚିବ ଏବଂ ଜନସାଧାରଣଙ୍କୁ ଉତ୍ତମ ମାନର ସହରୀ ସେବା ପ୍ରଦାନ କରାଯିବ ସେ ନେଇ ଏକ ବୈଠକ ବସିଥିଲା। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ରେ ଆୟୋଜିତ ଏହି ସମନ୍ଵୟ ବୈଠକରେ କମିଶନର ଦୀନା ଦସ୍ତଗୀର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ଏହି ସମନ୍ଵୟ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଗାମୀ ମାର୍ଚ୍ଚ ସୁଦ୍ଧା ସହରର ରାସ୍ତା ଗୁଡିକୁ ଗର୍ତ୍ତ-ମୁକ୍ତ କରିବା ତଥା ରାସ୍ତା ମରାମତି କାର୍ଯ୍ୟକୁ ତ୍ଵରିତ କରିବା ବାବଦରେ ଆଲୋଚନା ହୋଇଥିଲା। ରାସ୍ତା ଖୋଳିବା ପୂର୍ବରୁ ଆରଏମସି ଠାରୁ ଅନୁମତି ନେବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିଭିନ୍ନ ବିଭାଗରେ ରହିଥିବା ସମସ୍ୟା ଓ ତାହାର ଦୂରୀକରଣ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।
ସହରର ରାସ୍ତାକୁ ଖାଲଖମା ତଥା ଗର୍ତ୍ତମୁକ୍ତ କରି ଯାତାୟତ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ଏହି ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ରହିଥିଲା। ମୁଖ୍ୟମନ୍ତ୍ରୀ ସହରର ସମସ୍ତ ରାସ୍ତାକୁ ଗର୍ତ୍ତମୁକ୍ତ କରିବାକୁ ଆହ୍ଵାନ ଦେଇଥିବା ବେଳେ ରାଉରକେଲା ମହାନଗର ନିଗମ ମଧ୍ୟ ସେ ଦିଗରେ କାର୍ଯ୍ୟ କରୁଛି। ଏଥିଲାଗି ସବୁ ବିଭାଗର ସହଯୋଗ ଦରକାର ବୋଲି ଆରଏମସି କମିଶନର କହିଥିଲେ।
୨୦୨୬ ମାର୍ଚ୍ଚ ସୁଦ୍ଧା ରାଉରକେଲା ସହରର ସମସ୍ତ ରାସ୍ତା ଗୁଡିକୁ ମରାମତି କରିବା ସହ ସେଗୁଡିକୁ ଗର୍ତ୍ତମୁକ୍ତ କରିବାକୁ କମିଶନର ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଅଞ୍ଚଳର ସ୍ଵଚ୍ଛତା, ସ୍ୱାସ୍ଥ୍ୟ, ଷ୍ଟ୍ରିଟ ଲାଇଟ୍ ତଥା ଅନ୍ୟାନ୍ୟ ମୌଳିକ ସମସ୍ୟାର ସମୀକ୍ଷା କରିବା ସହ ସେଗୁଡିକର ତ୍ଵରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଆରଏମସି କମିଶନର ପରାମର୍ଶ ଦେଇଥିଲେ। ରାଉରକେଲା ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ପ୍ରଦୂଷଣକୁ ଗୁରୁତର ସହ ନେଇ ତାହାକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ କମିଶନର ପରାମର୍ଶ ଦେଇଥିଲେ। ବୁଲା ଗାଈଗୋରୁଙ୍କ ଲାଗି ଏକ ଗୋଶାଳା ନିର୍ମାଣ ଲାଗି ଆରଏମସି ଯୋଜନା କରୁଥିବା ବେଳେ ଏଥିଲାଗି ଆବଶ୍ୟକ ଜାଗା ଯୋଗାଇ ଦେବାରେ ସହଯୋଗ କରିବାକୁ ଆୟୁକ୍ତ ଉପସ୍ଥିତ ଆରଏସପି ଅଧିକାରୀଙ୍କୁ କହିଥିଲେ। ଆରଏସପି ଅଞ୍ଚଳରେ ନିୟମିତ ଟୀକାକରଣକୁ ସକ୍ରିୟ କରିବା ପାଇଁ ସାର୍ବଜନୀନ ସ୍ଥାନ ଗୁଡିକରେ କ୍ୟାମ୍ପ ଆୟୋଜନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ୱାଟକୋ, ଟିପିଡବ୍ଲୁଓଡିଏଲ, ଗେଲ୍ ର ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ଖୋଳିବା ପୂର୍ବରୁ ଆଗୁଆ ଅନୁମତି ନେବାକୁ ଆରଏମସି କମିଶନର ନିର୍ଦ୍ଦେଶ ଦେଇଥିଲେ। ଏଥିସହ କାର୍ଯ୍ୟ ପରେ ଖୋଳା ରାସ୍ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ମରାମତି କାର୍ଯ୍ୟକୁ ତ୍ଵରିତ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ।
ଜନସୁରକ୍ଷାକୁ ଦୃଷ୍ଟିରେ ରଖି ଅକୁପେନ୍ସି ସାର୍ଟିଫିକେଟ ହାସଲ କରିବା ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ। ତେଣୁ ଏହି ସାର୍ଟିଫିକେଟ ପାଇବା ପରେ ହିଁ ପାନୀୟ ଜଳ, ବିଦ୍ୟୁତ୍ ସରବରାହ ଯୋଗାଇ ଦେବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସହରର ଯେଉଁ ସବୁ ସ୍ଥାନରେ ପାଇପ୍ ଫାଟି ପାଣି ନଷ୍ଟ ହେଉଛି ସେଗୁଡିକର ମରାମତି ପାଇଁ ୱାଟକୋର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ଷ୍ଟ୍ରିଟ୍ ଲାଇଟ୍ ଗୁଡିକର ମରାମତି କାର୍ଯ୍ୟ ଜୋରଦାର୍ କରିବାକୁ ଟିପିଡବ୍ଲୁଓଡିଏଲ୍ ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପାୱାର କଟ୍ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ବିଭାଗ ତରଫରୁ ବର୍ତ୍ତମାନ ସମୟରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ତଥ୍ୟ ମାଗିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ସବିଶେଷ ସୂଚନା ଦେବାକୁ କମିଶନର ପରାମର୍ଶ ଦେଇଥିଲେ।
ଏହି ବୈଠକରେ ରାଉରକେଲା ମହାନଗର ନିଗମ ଯୁଗ୍ମ ପୌରାୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଆରଡିଏ ସେକ୍ରେଟେରୀ ଶ୍ରୀଯୁକ୍ତ ଲଙ୍କେଶ୍ଵର ଅମାତ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ, ଆରଏସପି, ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।