ରାଉରକେଲା : ଟାଟା ଏସି ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ।। ବେଆଇନ୍ ପାର୍କିଂ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ
ରାଉରକେଲା;୬/୭
(ସତ୍ୟାନ୍ୟୁଜ) ରାଉରକେଲାର ଶିଳ୍ପାଞ୍ଚଳ ଆଇଡିସିରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଡ୍ୟୁଟି ସାରି ଘରକୁ ଫେରୁଥିବା ଜଣେ ଯୁବକଙ୍କୁ ରଂଗ ସାଇଡ୍ରୁ ଆସୁଥିବା ଏକ ଟାଟା ଏସି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ସୌମ୍ୟ ରଞ୍ଜନ ଲାହା ବୋଲି ଜଣା ପଡିଛି।
ସୋମବାର ସକାଳ ପ୍ରାୟ ୯ଟା ବେଳେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ସ୍ଥିତ କୋକାକୋଲା କମ୍ପାନୀ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଟାଟା ଏସି ଗାଡ଼ିଟି ରଙ୍ଗ ସାଇଡ୍ରେ ଆସୁଥିବା ବେଳେ ସାମ୍ନାରୁ ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଚାଳକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।
ସ୍ଥାନୀୟ ଲୋକମାନେ ତୁରନ୍ତ ଆହତ ଯୁବକଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଯୁବକ ସୌମ୍ୟରଞ୍ଜନ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଏବଂ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶିଳ୍ପାଞ୍ଚଳରେ ରାସ୍ତା କଡ଼ରେ ବେଆଇନ ଭାବେ ଭାରୀ ଯାନ ପାର୍କିଂ ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି।