ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ।। ୫ ଜୁଲାଇ ରୁ ୪ ଅଗଷ୍ଟ ଆପତ୍ତି , ଦାବି ଅବିଧି ରହିବ।

0 70

ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ

ସୁନ୍ଦରଗଡ଼ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ସଦ୍‌ଭାବନା ସଭାଗୃହରେ ଏହାକୁ ଉନ୍ମୋଚନ କରିଥିବା ବେଳେ, ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରରେ ମଧ୍ୟ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହାସହ ଜିଲ୍ଲାବାସୀଙ୍କୁ ଦାବି ଓ ଆପତ୍ତି ଦାଖଲ ପାଇଁ ଆହ୍ୱାନ କରାଯାଇଛି।

ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ୩୦ ମେରୁ ୨୮ ଜୁନ୍ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିଲା। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ୫ ଜୁଲାଇ ସୁଦ୍ଧା ଜିଲ୍ଲାର ୧୪ ଲକ୍ଷ ୬୪ ହଜାର ୫୪୭ ଜଣ ଭୋଟରଙ୍କ ମଧ୍ୟରୁ ୧୩ ଲକ୍ଷ ୭୯ ହଜାର ୮୫୫ ଜଣ ପରିଗଣନା ଫର୍ମ ଦାଖଲ କରିଛନ୍ତି।
ଚିଠା ଭୋଟର ତାଲିକା ପ୍ରସ୍ତୁତିରେ ୭ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୩୭ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୧୭ ଜଣ ଅତିରିକ୍ତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୧୮୪୭ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ୩୧୭୮ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ଏଥିସହ ୬ଟି ରାଜନୈତିକ ଦଳ ପକ୍ଷରୁ ୩୨୮୮ ଜଣ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ ହୋଇଥିଲେ।
ଜିଲ୍ଲାପାଳ କହିଛନ୍ତି, ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅବଧି ଚାଲିବ। ଏହି ସମୟ ମଧ୍ୟରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା କିମ୍ବା ଅଯୋଗ୍ୟ ନାମ ବାଦ ଦେବା ପାଇଁ ସାଧାରଣ ଭୋଟର ଏବଂ ରାଜନୈତିକ ଦଳମାନେ ଦାବି ଓ ଆପତ୍ତି ଦାଖଲ କରିପାରିବେ।
ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ ସହ ବୈଠକ ଅନୁଷ୍ଠିତ ହେବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ରାଉରକେଲାରେ ମଧ୍ୟ ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରକୁ ନେଇ ରାଜନୈତିକ ଦଳମାନଙ୍କ ସହ ପୃଥକ ବୈଠକ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.