ବଣାଇ:୬/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ମହୁଲପଦା ଥାନା ଅଞ୍ଚଳର ଫୁଲଝର–କେନ୍ଦୁଝର ରାସ୍ତାରେ ଏକ ଟ୍ରକ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଛି। ତେବେ ସୌଭାଗ୍ୟବଶତଃ ଚାଳକ ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି।
ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର–କେନ୍ଦୁଝର ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ, ଟ୍ରକଟି ଏକ ବିପଜ୍ଜନକ ଟର୍ଣ୍ଣିଂରେ ମୋଡ଼ କାଟୁଥିବା ବେଳେ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଟ୍ରକଟି ପ୍ରାୟ ୪୦ ଫୁଟ ତଳକୁ ଓଲଟି ପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ପରେ ଘନ କୁହୁଡ଼ି ସୃଷ୍ଟି ହୋଇଥିବାରୁ ରାସ୍ତା ସଠିକ୍ ଭାବେ ଦେଖାଯାଉନଥିଲା। ଏହି କାରଣରୁ ଚାଳକ ଟର୍ଣ୍ଣିଂକୁ ଠିକ୍ ଭାବେ ଆକଳନ କରିପାରିନଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ଖବର ପାଇ ମହୁଲପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଟ୍ରକର ଚାଳକ ଓ ହେଲ୍ପର ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଏବେ ସ୍ଥିର ରହିଛି।