ବଣାଇ, ୩ ଜୁଲାଇ (ସତ୍ୟାନ୍ୟୁଜ): ବଣାଇ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ୪ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।
ପୋଲିସ ସୂଚନା ଅନୁଯାୟୀ, ବଣାଇର ଏକ ଖୋଲା ପଡ଼ିଆରେ ଗ୍ୟାଙ୍ଗର ସଦସ୍ୟମାନେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୨ ଜଣ ଧରାପଡ଼ିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଅଭିଯୁକ୍ତମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ଡକାୟତିରେ ବ୍ୟବହାର ପାଇଁ ରଖାଯାଇଥିବା ସାମଗ୍ରୀ ଜବତ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ଗତ ଏକ ମାସ ଧରି ଏହି ଗ୍ୟାଙ୍ଗ ବଣାଇ ଅଞ୍ଚଳର ବିଭିନ୍ନ ଘର ଓ କାର୍ଯ୍ୟାଳୟରୁ ଏସି ଚୋରି କରି ସେଥିର ଯନ୍ତ୍ରାଂଶ ବିକ୍ରି କରୁଥିଲେ।
ପୋଲିସ ଚୋରି ହୋଇଥିବା ଏସିର ବହୁ ଯନ୍ତ୍ରାଂଶ ଜବତ କରିଥିବା ବେଳେ, ଚୋରା ସାମଗ୍ରୀ କିଣିଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରଖିଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ମଧ୍ୟ ପୋଲିସର ତଦନ୍ତ ଚାଲିଛି।