ଡାକ୍ତର ଧର୍ମଘଟରେ ସରକାରଙ୍କ କଠୋର ପଦକ୍ଷେପ, ଅନୁପସ୍ଥିତଙ୍କ ଦରମା ବନ୍ଦ; ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ
ଭୁବନେଶ୍ୱର:୩/୭(ସତ୍ୟାନ୍ୟୁଜ) ରାଜ୍ୟରେ ଦୁଇ ଦିନ ଧରି ଚାଲିଥିବା ସରକାରୀ ଡାକ୍ତରଙ୍କ ଧର୍ମଘଟକୁ ନେଇ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଧର୍ମଘଟ ଯୋଗୁ କାର୍ଯ୍ୟରେ ଅନୁପସ୍ଥିତ ଥିବା ଡାକ୍ତରମାନଙ୍କର ଦରମା ବନ୍ଦ କରାଯିବ। ସେହିପରି ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ଯୋଗୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବା ପରେ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି। ସରକାରଙ୍କ ପକ୍ଷରୁ ଆନ୍ଦୋଳନରୁ ଓହରି ଆଲୋଚନାକୁ ଆସିବା ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ତାହାର କୌଣସି ସକାରାତ୍ମକ ଫଳ ମିଳିନଥିଲା।
ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜ୍ୟରେ ଏସମା ବଳବତ୍ତର ଥିବା ସତ୍ତ୍ୱେ ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ୍ କ୍ୟାଡର ଓ ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ କ୍ୟାଡରର ଡାକ୍ତରମାନେ ଜୁଲାଇ ୧ ତାରିଖରୁ କାର୍ଯ୍ୟ ବର୍ଜନ କରିଛନ୍ତି। ଫଳରେ ସାଧାରଣ ଲୋକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।
ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଡାକ୍ତରମାନଙ୍କ ଏଭଳି କାର୍ଯ୍ୟ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି-୧୯୫୯ର ନିୟମ ୩ ଓ ୪ର ଉଲ୍ଲଂଘନ କରୁଛି। ଏହି ନିର୍ଦ୍ଦେଶନାମା ସମସ୍ତ ମେଡିକାଲ ଅଫିସର, ସ୍ପେଶାଲିଷ୍ଟ ଓ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ପାଇଁ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି।
ଏହାପୂର୍ବରୁ ସରକାର ସନ୍ଧ୍ୟାରେ ଧର୍ମଘଟରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ସରକାର କହିଥିଲେ ଯେ, ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସରକାର ସମ୍ବେଦନଶୀଳ ରହିଛନ୍ତି ଏବଂ କ୍ୟାଡର ରି-ଷ୍ଟ୍ରକଚରିଂ, ଡିଏସିପି, ସ୍ପେଶାଲ ଇନସେଣ୍ଟିଭ୍, ପ୍ଲେସ୍-ବେସ୍ଡ ଇନସେଣ୍ଟିଭ୍ ସମେତ ଅନେକ ଦାବି ପୂରଣ କରାଯାଇଛି।
ତେବେ ରୋଗୀ ସେବା ପ୍ରଭାବିତ ହେବାକୁ ଦୃଷ୍ଟିରେ ରଖି ସରକାରଙ୍କ ଚେତାବନୀ ପରେ ମଧ୍ୟ ଡାକ୍ତରମାନେ ଧର୍ମଘଟ ଜାରି ରଖିଥିବାରୁ ବିଳମ୍ବିତ ରାତିରେ କଠୋର ପ୍ରଶାସନିକ ପଦକ୍ଷେପ ଘୋଷଣା କରାଯାଇଛି।