ଭେଜା ରେଳଷ୍ଟେସନ ନିକଟରେ ଡମ୍ପିଂୟାର୍ଡକୁ ତୀବ୍ର ବିରୋଧ, ଜମି ଚିହ୍ନଟ ପ୍ରକ୍ରିୟା ସ୍ଥଗିତ।
କୋରାପୁଟ:୩/୭(ସତ୍ୟାନ୍ୟୁଜ) ନନ୍ଦପୁର ବ୍ଲକ ଅନ୍ତର୍ଗତ ଭେଜା ରେଳଷ୍ଟେସନ ନିକଟରେ ପ୍ରସ୍ତାବିତ ରେଳ ଡମ୍ପିଂୟାର୍ଡ ପାଇଁ ଜମି ଚିହ୍ନଟକୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ। ଦୀର୍ଘ ସମୟ ଧରି ବୁଝାସୁଝା ପରେ ମଧ୍ୟ ଗ୍ରାମବାସୀ ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ଅଧିକାରୀମାନେ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥଗିତ ରଖି ଫେରି ଯାଇଛନ୍ତି
ବାଲଡ଼ା ପାହାଡ଼ରେ ବକ୍ସାଇଟ ଖଣି ଉତ୍ତୋଳନ ପରେ ରେଳ ପରିବହନ ସୁବିଧା ପାଇଁ ଭେଜା ରେଳଷ୍ଟେସନ ନିକଟରେ ଏକ ଡମ୍ପିଂୟାର୍ଡ ନିର୍ମାଣ ପ୍ରସ୍ତାବ ରହିଛି। ଏହି ଉଦ୍ଦେଶ୍ୟରେ ଗାୟଲପୁଟ, ତାଇନ୍ତର ଓ କଡ଼ାପୁଟ ମୌଜାର ଜମି ଚିହ୍ନଟ କରିବାକୁ ରାଜସ୍ୱ ଓ ରେଳବାଇ ଅଧିକାରୀମାନେ ପହଞ୍ଚିଥିଲେ।
ଜମି ଚିହ୍ନଟ କାମ ଆରମ୍ଭ ହେବାମାତ୍ରେ ତିନି ମୌଜାର ଜମିମାଲିକ, ସେମାନଙ୍କ ଉତ୍ତରାଧିକାରୀ ଏବଂ ନାଗେଶ୍ୱରୀ ପାହାଡ଼ ସୁରକ୍ଷା ସମିତିର ଶତାଧିକ ମହିଳା ଓ ପୁରୁଷ ଘଟଣାସ୍ଥଳରେ ପହଞ୍ଚି ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ।
ବିରୋଧକାରୀଙ୍କ କହିବା ଅନୁସାରେ, ବାଲଡ଼ା ପାହାଡ଼କୁ ଜୈବିକ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ମିଳିଥିବାରୁ ଏଠାରେ ଖଣି କିମ୍ବା ଡମ୍ପିଂୟାର୍ଡ ନିର୍ମାଣକୁ ସେମାନେ ଦୀର୍ଘ ଦିନ ଧରି ବିରୋଧ କରିଆସୁଛନ୍ତି। ଏନେଇ ଉଚ୍ଚ ନ୍ୟାୟାଳୟ ଓ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ମଧ୍ୟ ବିଚାରାଧୀନ ରହିଛି।
ଏହାଛଡ଼ା ବର୍ତ୍ତମାନ ଖରିଫ ଚାଷ ଋତୁ ଚାଲିଥିବାରୁ ଜମି ଚିହ୍ନଟ ପ୍ରକ୍ରିୟା ଯୋଗୁଁ ଚାଷଜମି କ୍ଷତିଗ୍ରସ୍ତ ହେବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଥିଲେ।
ପ୍ରାୟ ଚାରି ଘଣ୍ଟା ଧରି ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯାଇଥିଲେ ମଧ୍ୟ ଗ୍ରାମବାସୀ ରାଜି ନ ହେବାରୁ ଜମି ଚିହ୍ନଟ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି।
ଘଟଣାସ୍ଥଳରେ ନନ୍ଦପୁର ତହସିଲଦାର, ରେଳବାଇ ଅଧିକାରୀ, ନନ୍ଦପୁର ଏସଡିପିଓ, ରେଳବାଇ ଡିଏସପି, ତହସିଲ ଓ ପୋଲିସ ପ୍ରଶାସନ ସହ ଜିଆରପି ଉପସ୍ଥିତ ଥିଲେ।ଭେଜା ରେଳ ଡମ୍ପିଂୟାର୍ଡକୁ ନେଇ ବିବାଦ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।