ରାଉରକେଲା : ତିନି ଦିନରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ।। ଲୋକେ ଆତଙ୍କିତ।। ବନ ବିଭାଗ ହାତୀ ଘଉଡ଼ାଇବା ରେ ଅସଫଳ ଅଭିଯୋଗ।
ରାଉରକେଲା:୭/୬(ସତ୍ୟାନ୍ୟୁଜ) ରାଉରକେଲା ବନଖଣ୍ଡ ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଜାରି ରହିଛି ହାତୀ ଆତଙ୍କ। ଯେତେ ଉଦ୍ୟମ କଲେ ମଧ୍ୟ ଥମୁ ନାହିଁ ହାତୀ ଉପଦ୍ରବ। ରାଉରକେଲା ବନଖଣ୍ଡରେ ତିନି ଦିନରେ ହାତୀ ଆକ୍ରମଣରେ ୨ ଜଣ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହେଲାଣି। ଆଜି ସକାଳେ ବନ୍ଧମୁଣ୍ଡା ପ୍ରେମ ନଗର ଠାରେ ଏକ ଗୋଠ ଛଡା ଦନ୍ତା ହାତୀ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ କଚାଡ଼ି ମାରି ଦେଇଛି।। କଚାରୁ ରେ ଥିବା ହାତୀ ପଲ୍ଲ ମଧ୍ୟରୁ ଏହି ଦନ୍ତା ଆସି ବନ୍ଧମୁଣ୍ଡା ରେ ମଣିଷ ମାରିବା ଚିନ୍ତାର ବିଷୟ ହୋଇଛି। ବନ ବିଭାଗ ହାତୀଙ୍କ ଗତିବିଧି ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେବଳ କ୍ଷତିପୂରଣ ଦେଇ ଚୁପ୍ ବସିଛନ୍ତି ବିଭାଗୀୟ ଅଧିକାରୀ। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଗତକାଲି ରାଉରକେଲା ଫରେଷ୍ଟ ଡିଭିଜନ ର ବାଙ୍କୀ ରେଞ୍ଜ ଅନ୍ତର୍ଗତ କଛୁପଡା ଗାଁ ନିକଟରେ ହାତୀ ଜଣେ ୫୫ ବର୍ଷୀୟା ମହିଳାଙ୍କୁ କଚାଡ଼ି ମାରି ଦେଇଥିଲା। ଗାଁ ର ଯମୁନା ମହାନ୍ତ ଶୌଚ ଲାଗି ଯାଇ ଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡି ଯାଇ ଥିଲେ।
ଅନ୍ୟପକ୍ଷରେ ଗତକାଲି ସକାଳେ ବିରମିତ୍ରପୁର ବନାଞ୍ଚଳ ଜୟଡେଗା ଜଙ୍ଗଲରେ ଜଣେ ୬୫ ବର୍ଷୀୟା ମହିଳାଙ୍କୁ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଥିଲା।
୩ ଦିନରେ ରାଉରକେଲା ବନଖଣ୍ଡରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଚିନ୍ତାର ବିଷୟ ହୋଇଛି। ଜିଲ୍ଲାରେ ହାତୀ ଆତଙ୍କ ଜାରୀ ରହିଥିବାରୁ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।