ରାଉରକେଲା : ଚଳିତ ବର୍ଷ ଦୀପାବଳୀ ରେ ଦୁଇ ଘଣ୍ଟା ବାଣ ଫୁଟିବ।। ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।
ରାଉରକେଲା:୧୫/୧୦
(ସତ୍ୟାନ୍ୟୁଜ) ଚଳିତ ବର୍ଷ ଦୀପାବଳୀ ରେ କେବଳ ଦୁଇ ଘଣ୍ଟା ବାଣ ଫୁଟିବ। ସନ୍ଧ୍ୟା ୭ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ବାଣ ଫୁଟାଇ ଦିୱାଲି ପାଳନ କରି ପାରିବେ। ଏପରି ପରାମର୍ଶ ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଆଲୋକର ପର୍ବ ଦୀପାବଳୀ କୁ ଦୀପ ଜଳାଇ ପାଳନ କରିବାକୁ ନିବେଦନ କରା ଯାଇଛି। ବାଣ ଫୁଟାଇବାକୁ କେବଳ ସମୟ ସୀମା ଧାର୍ଯ୍ୟ କରା ଯାଇ ନାହିଁ। ଏହା ସହ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ
ଫୁଟାଇବା ଲାଗି ବାରଣ କରାଯାଇଛି। ସର୍ବସାଧାରଣ ସ୍ଥାନ ପାର୍କ , ଡାକ୍ତରଖାନା , ଶିକ୍ଷାନୁଷ୍ଠାନ , କୋର୍ଟ , ଧାର୍ମିକ ସ୍ଥଳ ର ୧୦୦ ମିଟର ମଧ୍ୟରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦିଆ ଯାଇଛି। ସବୁଜ ବାଣ ଫୁଟାଇବା ଉପରେ ଗୁରୁତ୍ବ ଦିଆ ଯାଉଛି। ଅଗ୍ନି ପ୍ରବଣ ସ୍ଥାନ , ଅଧିକ ଲୋକ ଯାତାୟତ କରୁଥିବା ସ୍ଥାନରେ ବାଣ ଫୁଟା କୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ବାଣ ଫୁଟାଇବା ମନା କରା ଯାଇଛି। ଦୀପାବଳି ରେ କେବଳ ପ୍ରଦୂଷଣ ସୃଷ୍ଟି କରୁ ନଥିବା ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆ ଯାଇଛି।
ତେବେ ପ୍ରତିବର୍ଷ ବାଣ ଫୁଟାଇବା ସମୟ ସୀମା ଥାଏ। କିନ୍ତୁ ବହୁ ଲୋକ ଏହା ମାନନ୍ତି ନାହିଁ। ବିଗତ ବର୍ଷ ସମୟ ସୀମା ରାତି ୧୦ ଟା ପର୍ଯ୍ୟନ୍ତ ଥିବା ବେଳେ ଚଳିତ ବର୍ଷ ରାତି ୯ ଟା କରା ଯାଇଛି। ତେବେ ଲୋକେ ଏହି ନିର୍ଦ୍ଦେଶନାମା କୁ କେତେ ଦୂର ପାଳନ କରିବେ ତାହା ଦୀପାବଳୀ ଦିନ ଜଣା ପଡ଼ିବ।