ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ
ଭାରତୀୟ ସେନାରେ ଗଠନ ହେଉ କଳିଙ୍ଗ ରେଜିମେଣ୍ଟ
- ପୂର୍ବରୁ ପ୍ରତିରକ୍ଷା ଯୁଗ୍ମ ସଚିବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର
ରାଉରକେଲା:୮/୧୦(ସତ୍ୟାନ୍ୟୁଜ) ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଭାରତୀୟ ସେନାରେ ଓଡ଼ିଶାର ଯବାନମାନଙ୍କର ବେଶ୍ ଭୂମିକା ରହିଛି। ଓଡ଼ିଆ ସୈନିକମାନେ ସୈନବାହିନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି। ଓଡ଼ିଶାର ଐତିହାସିକ ଓ ନିରନ୍ତର ଅବଦାନ ସତ୍ବେ ସେନାର କୌଣସି ରେଜିମେଣ୍ଟ କଳିଙ୍ଗ ନାମରେ ଗଠନ କରାଯାଇ ନାହିଁ ବୋଲି ଶ୍ରୀ ରାୟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଭାରତୀୟ ସେନାରେ ଆସାମ, ପଞ୍ଜାବ, ମାରାଠା, ଡୋଗ୍ରା, ଗୋର୍ଖା, ରାଜପୁତ, ନାଗାଲାଣ୍ଡ ସହ ଅନ୍ୟାନ୍ୟ ନାମରେ ରେଜିମେଣ୍ଟଗୁଡ଼ିକ ଗଠନ କରାଯାଇଛି। ଏହି ରେଜିମେଣ୍ଟଗୁଡ଼ିକ ଆଞ୍ଚଳିକତାକୁ ଆଗକୁ ବଢ଼ାନ୍ତି ନାହିଁ, ବରଂ ସେମାନେ ସାମରିକ ପରିଚୟ ମଧ୍ୟରେ ଭାରତର ବିବିଧତାକୁ ପାଳନ କରନ୍ତି। କଳିଙ୍ଗ ରେଜିମେଣ୍ଟ ଗଠନର ଯୁକ୍ତି ଚାରୋଟି ମୂଳଦୂଆ ଉପରେ ନିର୍ଭର କରେ। ପ୍ରଥମତଃ, କଳିଙ୍ଗ ସାହସ ଓ ବଳିଦାନର ଏକ ସଭ୍ୟତାଗତ ଐତିହ୍ୟକୁ ପ୍ରତିନିଧିତ୍ବ କରେ। ଦ୍ବିତୀୟରେ ଏପରି ଏକ ରେଜିମେଣ୍ଟ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ। ଓଡ଼ିଶାରୁ ନିଯୁକ୍ତିକୁ ଆହୁରି ମଜବୁତ କରିବ। ତୃତୀୟରେ ଏହା ଜାତୀୟ ସଂହତିକୁ ସୁଦୃଢ଼ କରିବ। ଗୋପାଳପୁରରେ ଆର୍ମି ଏୟାର ଡିଫେନ୍ସ କଲେଜ, ଆଇଏନ୍ଏସ୍ ଚିଲିକିା ଓ ଅବଦୁଲ କଲାମ ଦୀପରେ କ୍ଷେପଣାସ୍ତ୍ର ପରୀକ୍ଷଣ ସୁବିଧା ଭଳି ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନ ଓଡ଼ିଶାରେ ରହିଛି। ଆପଣଙ୍କ ନେତୃତ୍ବ ପୂର୍ବରୁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇ ସାରିଛି। ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ରାୟ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ତତ୍କାଳୀନ ଉପସଚିବ ମନୋରଞ୍ଜନ ଦାସ କେନ୍ଦ୍ର ପ୍ରତିରକ୍ଷା ବିଭାଗର ଯୁଗ୍ମ ସଚିବଙ୍କୁ କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ଚିଠି ଲେଖିଥିଲେ।