ଝାରସୁଗୁଡ଼ା : ଦାଦନ ଖଟିବାକୁ ଯାଉଥିବା ଯୁବକଙ୍କ ବିଦ୍ୟୁତ୍ ଆଘାତରେ ସୁରାଟ ରେ ମୃତ୍ୟୁ।। କ୍ଷତିପୂରଣ ଦାବିରେ ଶବ ରଖି ସ୍ଥାନୀୟ ଲୋକଙ୍କ ବିକ୍ଷୋଭ।
ଝାରସୁଗୁଡ଼ା : ୧୨/୪(ସତ୍ୟାନ୍ୟୁଜ) ରାଜ୍ୟରେ କେତେକ ଜିଲ୍ଲାରେ ବେରୋଜଗାରି ଏବଂ ବେକାରୀ ସମସ୍ୟା ବଢ଼ିଚାଲିଛି। ଫଳରେ ବେକାର ଯୁବକ ମାନେ ବାହାର ରାଜ୍ୟରେ କାମ କରୁଛନ୍ତି। ଗୋଟିଏ ପ୍ରକାର ଦାଦନ ଖଟିବାକୁ ଯାଉଛନ୍ତି। ଅନେକ ସମୟରେ କାମ କାଳ ବେଳେ କେତେ ଜଣ ଶ୍ରମିକ ମୃତ୍ୟୁ ବରଣ କରୁଥିବା ମଧ୍ୟ ନଜିର ରହିଛି।
ଝାରସୁଗୁଡ଼ା ହଁସାମୁରା କଣ୍ଟାପାଲି ମାଲିଡିହର କରନ୍ ନେଟି ଚାରି ମାସ ହେଲା ସୁରଟରେ ଦାଦନ ଖଟୁଥିଲେ। ଗତ ସୋମବାର ଦିନ କରନ୍ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ। କାମ କରୁଥିବା କମ୍ପାନୀର ମାଲିକ ୨ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଶୁଦ୍ଧିକ୍ରିୟା ପାଇଁ ୨୫ ହଜାର ଟଙ୍କା ଦେଇଥିବା କରନ୍ ଙ୍କ ପରିବାର କହିଛନ୍ତି। ତେବେ ସୁରଟରୁ ଶବ ଝାରସୁଗୁଡାରେ ପହଞ୍ଚିବା ପରେ ତାଙ୍କ ପରିବାର ଏଵଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୂରଣ ଦାବିରେ ପ୍ରଥମେ ଜିଲା ଶ୍ରମ କାର୍ଯ୍ୟାଳୟ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଝାରସୁଗୁଡ଼ାରେ ଏତେ ସଂଖ୍ୟକ କଳକାରଖାନା ଥାଇ ଜିଲ୍ଲାର ବେରୋଜଗାର ଯୁବକମାନେ ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ ଦାଦାନ ଖଟିବାକୁ ଯିବା ଓ ସେଠାରେ ଜୀବନ ହରାଇବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସାମାଜିକ କର୍ମୀମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। କରନ୍ ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦିଆଯାଉ ବୋଲି ପ୍ରଶାସନକୁ ଦାବି କରାଯାଇଛି । କରନଙ୍କ ପରିବାର ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧୂକାରୀଙ୍କୁ ଦାବିପତ୍ର ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ କିଶୋର ସ୍ବାଇଁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।