ସୁନ୍ଦରଗଡ଼ : ଅବକାରୀ ଟିମ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳି ମାଡ଼।। ବୋଲେରୋ ବୋନେଟ୍ ରେ ପଶି ଗଲା ଗୁଳି।। ଜଣେ ଗିରଫ। ପିସ୍ତଲ୍ ଜବତ।
ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଫୁଟିଲା ଗୁଳି
-ଅବକାରୀ ଟିମ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳି
-ଅଳ୍ପକେ ବର୍ତ୍ତିଲେ ଅଧିକାରୀ
-ଜଣେ ଗିରଫ, ବନ୍ଧୁକ ଜବତ
-ଗଂଜେଇ ଚୋର ଭାବି ଅଟକାଇଥିଲେ
ସୁନ୍ଦରଗଡ଼ : ୧୨/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଅବକାରୀ ଟିମ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼ ।
ପିକ୍ଅପ୍ ଭ୍ୟାନ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଟିମ୍ ରାସ୍ତାରେ ଗାଡ଼ି ଅଟକାଇଲା ବେଳେ ଏହି କାଣ୍ଡ ଘଟିଛି। ଗୁଳିମାଡ଼ରୁ ଅଧିକାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅବକାରୀ କର୍ମଚାରୀ ଯାଉଥିବା ବୋଲେରୋ ଗାଡ଼ି ବୋନେଟ୍ ରେ ଗୁଳି ବାଜି କଣା ହୋଇ ଯାଇଛି। ପରେ ଟିମ୍ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଜଣକୁ ଧରିଛନ୍ତି। ଅନ୍ଯ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି।
ଗୋରୁ ବୋଝେଇ ଗାଡ଼ି ସହ, ବନ୍ଧୁକ ଜବତ କରା ଯାଇଛି।
ଆଜି ସକାଳେ ଏ ଘଟଣା ଘଟିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଗୋରୁ ନେଇ ଏକ ପିକଅପ୍ ଗାଡ଼ି ଟପରିଆ କୁଚେଡେଗା ହେମଗିର ରାସ୍ତାଦେଇ ଲେଫ୍ରିପଡ଼ା ପଟକୁ ଯାଉଥିଲା। ହେମଗିର ଅବକାରୀ ଟିମ୍ ଚୋରା ମହୁଲ ଓ ଗଂଜେଇ ଧରିବାକୁ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ଉପରେ ନଜର ପଡ଼ିଥିଲା। ଅବକାରୀ ଟିମ୍ ପ୍ରଥମେ ଗାଡ଼ିକୁ ପିଛା କରି ହେମଗିର ରଙ୍ଗିଆଢିପା ପୋଲ ଠାରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ବେଆଇନ ମହୁଲ ଫୁଲ କି ଗଂଜେଇ ଚୋରାଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଗାଡ଼ିଗୁଡ଼ିକୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡ଼ି ନ ଅଟକି ଦ୍ରୁତଗତିରେ ପଳାଇ ଯାଇଥିଲା। ପାଟ୍ରୋଲିଂ ଟିମ୍ ଲେଫ୍ରିପଡ଼ା ଅବକାରୀ ଟିମକୁ ଖବର ଦେଇଥିଲେ। ସେମାନେ ବାଟରେ ଜଗି ଧରିବାକୁ ଉଦ୍ଯମ କରିଥିଲେ।
ଏହି ସମୟରେ ସେଠାରେ ମାଫିଆ ଅତର୍କିତ ଭାବେ ଅବକାରୀ ଟିମ୍ ଉପରକୁ ଗୁଳି ମାଡ଼ କରିଥିବା ସୁନ୍ଦରଗଡ଼ ଅବକାରୀ ଅଧିକ୍ଷକ ପ୍ରମୋଦ ପଣ୍ଡା କହିଛନ୍ତି। ଏନେଇ ଲେଫ୍ରିପଡ଼ା ଥାନାରେ ଏତଲା ଦିଆ ଯାଇଥିବାବେଳେ ଗୋରୁ ମାଫିଆଙ୍କ ସହ ଗାଡ଼ି ଓ ବନ୍ଧୁକକୁ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।