ରାଉରକେଲା : ୯/୩(ସତ୍ୟାନ୍ୟୁଜ) ବେଆଇନ୍ ବାଲି ଉଠାଣ ଏବଂ ଚାଲାଣ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ସରକାର ନିର୍ଦ୍ଦେଶ ଦେବା ପରେ ବାଲି ମାଫିଆଙ୍କ ମଧ୍ୟରେ ଛାନିଆ ଦେଖା
ଦେଇଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ରେ ଥିବା ବାଲିଘାଟରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର , ହାଇୱା ଆଦି ଜବତ କରାଯାଉଛି। ଲକ୍ଷାଧିକ ଟଙ୍କା ଜରିମାନା ମଧ୍ୟ ଆଦାୟ କରା ଯାଉଛି। ସୁନ୍ଦରଗଡ଼ ଇବ୍ ନଦୀରୁ ବେଆଇନ ଭାବେ ସର୍ବାଧିକ ବାଲି ଚାଲାଣ ହେଉଥିବାରୁ ଏବେ ୩ ଦିନ ହେଲା ଚଢାଉ ଜାରି ରହିଛି। ୧୦ ରୁ ଉର୍ଦ୍ଧ୍ବ ଗାଡ଼ି ଜବତ କରା ଗଲାଣି। ରାଜସ୍ବ ବିଭାଗରୁ ଖଣି ବିଭାଗ କୁ ବାଲି ପରିଚାଳନା ଭାର ଚାଲି ଯିବା ପରେ ବର୍ଷେ ହେଲା ଇବ୍ ନଦୀ ବାଲି ଘାଟ ଲିଜ୍ ଦିଆ ଯାଇ ନାହିଁ। ଏହାର ଫାଇଦା ନେଇ ବାଲି ମାଫିଆ ମାନେ ଜେସିବି , ହାଇୱା ଲଗାଇ ହଜାର ହଜାର ଘନ ଫୁଟ ବାଲି ଉଠାଇ ନେଉଛନ୍ତି। ଏବେ ଜିଲ୍ଲା ପ୍ରଶାସନ , ଖଣି ବିଭାଗ , ପୋଲିସ ତତ୍ପରତା ଦେଖାଇ ଧରପଗଡ ଚଳାଇବା ଫଳରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶି ଯାଇଛି।