ରାଜଗାଙ୍ଗପୁର : ଡ଼ାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଘଟିଥିବା ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଜାରି।। ୩ ଶ୍ରମିକ ଫସି ରହିଥିବା ସୂଚନା।
ରାଉରକେଲା : ୧୭/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଗତକାଲି ଘଟି ଥିବା ବଡ଼ ଧରଣର ଦୁର୍ଘଟଣାର ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି। କୋଇଲା ହପର୍ ଭୁଶୁଡ଼ି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଥିବା କାରଖାନା କର୍ତ୍ତୃପକ୍ଷ କହିଛନ୍ତି। ଫସି ରହିଥିବା ଶ୍ରମିକଙ୍କ ସଂଖ୍ୟା ଅଧିକ ହେବା ନେଇ ସ୍ଥାନୀୟ ଲୋକେ କହୁଛନ୍ତି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ଅତି କମରେ ଆହୁରି ୨୪ ଘଣ୍ଟା ଲାଗିବା ନେଇ ସୂଚନା ମିଳୁଚି। ଉଦ୍ଧାର କାର୍ଯ୍ୟରେ ଆମ୍ବୁଲାନ୍ସ , ଜେସିବି , କ୍ରେନ୍ ଆଦି ନିୟୋଜିତ କରାଯାଇଛି। ଗତକାଲି ରାତିରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ , ସୁନ୍ଦରଗଡ଼ ଏସପି , ସ୍ଥାନୀୟ ତହସିଲଦାର ଅନ୍ୟ ସରକାରୀ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏହି ଘଟଣାକୁ ନେଇ ସିମେଣ୍ଟ ପ୍ଲାଣ୍ଟ ବାହାରେ ଚାପା ଉତ୍ତେଜନା ଲାଗି ରହିଛି। ପ୍ଲାଣ୍ଟ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।