ରାଉରକେଲା : ସି ଆଇ ଏସ ଏଫ୍ ଯବାନ ଗୁଳି ଫୁଟାଇ ଆତ୍ମହତ୍ୟା ଘଟଣା।। କଲ୍ ରେକର୍ଡ ଯାଞ୍ଚ କରୁଛି ପୋଲିସ।। ଆଜି ହେଲା ପୋଷ୍ଟମର୍ଟମ୍।
ନିଜକୁ ଗୁଳିକରି ସିଆଇଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା।
ରାଉରକେଲା: ୧୦/୧(ସତ୍ୟାନ୍ୟୁଜ) ବୁଧବାର ବିଳମ୍ବିତ ରାତିରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ଷ୍ଟିଲ ମେଲ୍ଟିଂ ସପ୍ (ଏସ୍ଏମ୍ଏସ୍) ଗେଟ୍ରେ ଅଭାବନୀୟ ଘଟଣା ଘଟିଥିଲା। ସେଠାରେ ଡ୍ୟୁଟି କରୁଥିବା ସିଆଇଏସ୍ଏଫ୍ ଯବାନ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ସିଆଇଏସ୍ଏଫ୍ ଯବାନ ହେଲେ କେରଳ କନ୍ନୁର ଅଞ୍ଚଳର ଅଭିନନ୍ଦ ପିକେ (୨୩)। ସୂଚନାନୁଯାୟୀ, ଅଭିନନ୍ଦ ୨୩ ଦିନ ପାଇଁ ଛୁଟିରେ ନିଜ ଘରକୁ କେରଳ ଯାଇଥିଲେ। ଗତ ୭ ତାରିଖ ଦିନ ଘରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ କାର୍ଯ୍ୟରେ ଯୋଗ ଦେବାର ୨ ଦିନ ପରେ ହଠାତ୍ ସର୍ଭିସ୍ ପିସ୍ତଲ୍ରୁ ନିଜ କାନମୁଣ୍ଡାରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆଜି ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ଗୁଳି ତାଙ୍କ କାନ ଉପରକୁ ମୁଣ୍ଡରେ ଫୁଟି ଭିତରକୁ ପଶିଯାଇଛି। ପିସ୍ତଲରେ ଥିବା ଚାରିଟି ଗୁଳିରୁ ଗୋଟିଏ ରାଉଣ୍ଡ ଫୁଟିଛି। ବୁଧବାର ରାତିରେ ଆର୍ଏସ୍ପି ଏସ୍ଏମ୍ଏସ୍ ଗେଟ୍ରେ ଆଉ ୨ ଜଣ ଯବାନଙ୍କ ସହ ଅଭିନନ୍ଦ ମଧ୍ୟ ଡ୍ୟୁଟିକୁ ଆସିଥିଲେ। ରାତି ପ୍ରାୟ ଦେଢ଼ଟାବେଳେ ଶୌଚ ହେବାକୁ ଯାଉଛି ବୋଲି ସହକର୍ମୀଙ୍କୁ କହିଥିଲେ। ସେଠାରେ ନିଜ ସର୍ଭିସ୍ ପିସ୍ତଲରୁ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ। ଏନେଇ ରାତି ପ୍ରାୟ ୩ଟାବେଳେ ଟାଙ୍ଗରପାଲି ପୁଲିସ ଖବର ପାଇ ଘଟଣାସ୍ଥଳରୁ ଯବାନଙ୍କୁ ଆଇଜିଏଚ୍ ନେଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ତାଙ୍କ ମୃତଦେହକୁ ଆଇଜିଏଚ୍ ମର୍ଗ ହାଉସରେ ରଖାଯାଇ ଥିଲା। ଅଭିନନ୍ଦଙ୍କ ପରିବାର ଲୋକ ଗୁରୁବାର ରାତିରେ ରାଉରକେଲା ପହଞ୍ଚିବା ପରେ ଆଜି ପୋଷ୍ଟମର୍ଟମ କରାଯାଇଛି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ସେ ୨ ବର୍ଷ ହେଲା ଆର୍ଏସ୍ପିରେ ନିୟୋଜିତ ଥିଲେ।