ସୁନ୍ଦରଗଡ : ଜିଲ୍ଲା ମହୋତ୍ସବ ଯତରା ରେ ତୃତୀୟ ସନ୍ଧ୍ୟାରେ ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ।। ବଲିଉଡ୍ ସିଙ୍ଗର ସଲମାନ୍ ଅଲ୍ଲୀ ଙ୍କ ଗୀତରେ ଝୁମିଲେ ଦର୍ଶକ।
ଯତରା ର ତୃତୀୟ ସନ୍ଧ୍ୟା – ସଲମାନ୍ ଅଲ୍ଲୀ ଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ
ସୁନ୍ଦରଗଡ଼ : ୪/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ଯୋଗେଶ ସିଂ, ରାଜଗାଙ୍ଗପୁର ବିଧାୟକ ଡ଼ା ରାଜେନ ଏକ୍କା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଏମ ସି ଏଲ ର ମୁଖ୍ୟ ସାଧାରଣ ପ୍ରବନ୍ଧକ ପି ବି ରେଡ୍ଡୀ, ଏନ ଟି ପି ସି ର ସାଧାରଣ ପ୍ରବନ୍ଧକ ରାମ ଭଜନ ମଲ୍ଲିକ, ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଚେତନ ଶ୍ରୀବାସ୍ତବ ଆଜି ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଆଶୁତୋଷ କୁଲକର୍ଣି ଯୋଗ ଦେଇଥିଲେ। ବୈଠକ ଶେଷ ରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଅବସର ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ “ସୁନ୍ଦରଗଡ଼ କେବଳ ଯେ ସୁନ୍ଦର ନାହିଁ , ଏଠିକାର ପ୍ରତିଭା ମଧ୍ୟ ମହାନ। ଏଠାରେ ବହୁ ଅନ୍ତର୍ଜାତୀୟ ପ୍ରତିଭା ଜନ୍ମ ନେଇଛନ୍ତି। ସୁନ୍ଦରଗଡ଼ ସହିତ ନିଜର ଶିକ୍ଷା ଜୀବନ ଏବଂ ବ୍ୟକ୍ତିଗତ ଅଭିଜ୍ଞତା ମଧ୍ୟ ବଖାଣି ଥିଲେ। ସେହିଭଳି ଜିଲ୍ଲା ର ବିକାଶ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ “।
ଯତରା ର ତୃତୀୟ ସନ୍ଧ୍ୟାରେ କୋଇଡା , କୁଆଁରମୁଣ୍ଡା, କୁତ୍ରା ବ୍ଲକ ର ବ୍ଲକ ସ୍ତରୀୟ ଯତରା କାର୍ଯ୍ୟକ୍ରମ ର କୃତି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିଭଳି ରାଜଗାଙ୍ଗପୁର ର କର୍ମା ନୃତ୍ୟ, ପଶ୍ଚିମ ବଙ୍ଗ ର ପୁରୁଲିଆ ଛଉ, ଗଞ୍ଜାମ ର ଯୋଡ଼ି ଶଙ୍ଖ, ସୁନ୍ଦରଗଡ଼ ର ମୟୁରି ଦ୍ଵାରା ସମ୍ବଲପୁରୀ ନୃତ୍ୟ, ସୋନପୁର ର ସୁଆଙ୍ଗ ଅନୁଷ୍ଠାନ ଦ୍ଵାରା ପରଭା ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ପ୍ରଖ୍ୟାତ ବଲିଉଡ କଣ୍ଠଶିଳ୍ପୀ ସଲମାନ୍ ଅଲ୍ଲୀ ଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ ହୋଇଥିଲା। ତାଙ୍କର ଗୀତ ରେ ଦର୍ଶକ ବୃନ୍ଦ ଝୁମି ଥିଲେ।
ସେହିଭଳି ସମାଜ ର ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଲାଭ କରିଥିବା ସୁନ୍ଦରଗଡ଼ ଜିଲ୍ଲା ର ବ୍ୟକ୍ତିତ୍ଵ ମାନଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ବଡ଼ଗାଁ ର ପାରା ଆଥଲେଟ ତଥା ସ୍ଵର୍ଣ୍ଣ ପଦକ ବିଜେତା ସ୍ଵାଧୀନ ମାହାର, ଵିଶ୍ରା ବ୍ଲକ ର ମିଲେଟ ଦ୍ରବ୍ୟ ଉତ୍ପାଦକ ଶ୍ରୀମତୀ ପ୍ରେମା ଦାଶ, ବଣାଇ ର ଜାତୀୟ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ କୃଷି ବୈଜ୍ଞାନିକ ଗୁରୁ ଚରଣ ପ୍ରଧାନ, କୁଆଁରମୁଣ୍ଡା ର ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।