ସୁନ୍ଦରଗଡ : ଆରମ୍ଭ ହୋଇଛି ୭୮ତମ ସୁନ୍ଦରଗଡ଼ ପ୍ରତିଷ୍ଠା ଦିବସ ସମାରୋହ।। ସହରରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା।। ଯୋଗଦେବେ ବଲିଉଡ୍ ତଥା ରାଜ୍ୟର କଳାକାର।
ସୁନ୍ଦରଗଡ : ୨/୧୨(ସତ୍ୟାନ୍ୟୁଜ) ଉତ୍ସାହ ଏଵଂ ଉଦ୍ଦୀପନା ସହ ଆଜି ଆରମ୍ଭ ହୋଇଛି ୭୮ତମ ସୁନ୍ଦରଗଡ ପ୍ରତିଷ୍ଠା ଦିବସ ସମାରୋହ। ଏହା ସହ ଜିଲ୍ଲା ମହୋତ୍ସବ ଯତରା-୨୦୨୫ ମଧ୍ୟ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ସୁନ୍ଦରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସରକାରୀ ମହାବିଦ୍ୟାଳୟ ଯତରା ପଡିଆ ଠାରେ ପହଞ୍ଚି ଥିଲା । ଶୋଭାଯାତ୍ରାରେ ସମସ୍ତ ୧୭ଟି ବ୍ଲକରୁ ସାଂସ୍କୃତିକ ଦଳ ଭାଗ ନେଇଥିବା ବେଳେ କଳାହାଣ୍ଡି କଟାପ୍ପା ଏବଂ ବରଗଡ ର ସୀତାରାମ ଦୁଲଦୁଲି ଶୋଭାଯାତ୍ରାର ସୁନ୍ଦରତା ବର୍ଦ୍ଧନ କରିଥିଲା। ବାଜାଗାଜା ଓ ନୃତ୍ୟରେ କମ୍ପିଥିଲା ପୁରା ପରିବେଶ। ଶୋଭାଯାତ୍ରାକୁ ବିଭିନ୍ନ ଛକ ମାନଙ୍କରେ ବିଭିନ୍ନ ଅନୁଷ୍ଠାନ ଏବଂ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପ ବାଚସ୍ପତି ଭବାନୀଶଙ୍କର ଭୋଇ , ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସୁନ୍ଦରଗଡ ସହରବାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଜି ସଂଧ୍ୟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମରେ ବଲିଉଡ ତାରକା ସୁଦେଶ ଭୋସଲେ, ବଲିଉଡ ଗାୟକ ସଲମାନ ଅଲି, ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ, ଗାୟିକା ଅର୍ଚ୍ଚନା ପାଢୀଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି। ଏହା ସହ ରାଜ୍ୟ ବାହାର କଳାକାର ମାନେ ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ।