ରାଉରକେଲା : ୨/୧୨(ସତ୍ୟାନ୍ୟୁଜ)
‘ ସଡକ ସୁରକ୍ଷା ଜୀବନ ରକ୍ଷା , ସଡକ ସୁରକ୍ଷା ପରିବାର ରକ୍ଷା ‘ ଏହି ସ୍ଲୋଗାନ ସହ ଆଜି ଆରମ୍ଭ ହୋଇଛି ସଡକ ସୁରକ୍ଷା ସପ୍ତାହ। ଏହି କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉପଲକ୍ଷେ ଏକ ସଡ଼କ ସଚେତନତା ରାଲି ହନୁମାନ ବାଟିକା ଛକରୁ ବାହାରି ସହର ପରିକ୍ରମା କରିଥିଲା । ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଉରକେଲା ଏସପି ନୀତେଶ ୱାଧୱାନି ଏବଂ ରାଉରକେଲା ଆର୍ ଟି ଓ
ବିଭ ଭଞ୍ଜନ ସାମନ୍ତ ସିଂ ରାୟ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ସଡକ ସଚେତନତା ଲାଗି ପଥ ପ୍ରାନ୍ତ ନାଟକ ହେବା ସହ ଯେଉଁ ମାନେ ସଡକ ସୁରକ୍ଷା ନିୟମ ମାନୁ ନଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରାଯାଉଥିଲା। ଅନ୍ୟ ପକ୍ଷରେ ଜମରାଜ ଏବଂ ଚିତ୍ରଗୁପ୍ତଙ୍କ ପୋଷାକ ପରିଧାନ କରି କଳାକାର ମାନେ ସେମାନଙ୍କ ଜୀବନ ରକ୍ଷା ସମ୍ପର୍କରେ ଏବଂ ତାଙ୍କ ଜୀବନ ପରିବାର ପାଇଁ କେତେ ମୂଲ୍ୟବାନ ତାହା ଲୋକଙ୍କୁ ବୁଝାଇଥିଲେ। ଅଧିକାଂଶ ଦୁର୍ଘଟଣା ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଯୋଗୁଁ ହେଉଛି। ବିଶେଷ କରି ଯୁବା ବର୍ଗ ସଡକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ରୋକିବାକୁ ସଡକ ସଚେତନତା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରା ଯାଉଥିବା ରାଉରକେଲା ଏସ ପି ଏବଂ ଆରଟିଓ କହିଛନ୍ତି।