ରାଉରକେଲା : ସ୍ମାର୍ଟ ସିଟି ରେ ଲାଗିଛି ୬୦୦ ସିସିଟିଭି କ୍ୟାମେରା।। କାମ କରୁ ନାହିଁ ଅର୍ଦ୍ଧେକରୁ ଉର୍ଦ୍ଧ୍ବ କ୍ୟାମେରା।। ଦୁଇ ବର୍ଷ ହେଲା ସଫ୍ଟ ୱେୟାର୍ ସମସ୍ୟା।

0 432

ରାଉରକେଲା : ୩୧/୧୨(ସତ୍ୟାନ୍ୟୁଜ) ଆଜିକାଲି ଅପରାଧ ନିୟନ୍ତ୍ରଣ ତଥା ଅପରାଧୀଙ୍କୁ ଧରିବାରେ ସିସିଟିଭି କ୍ୟାମେରା ର ଏକ ମୁଖ୍ୟ ଭୂମିକା ରହିଛି। ଏଥି ପାଇଁ ରାଜ୍ୟର ବିଭିନ୍ନ ସହରରେ ଏହି କ୍ୟାମେରା ଲଗା ଯାଉଛି। ବିଶେଷ କରି ସ୍ମାର୍ଟ୍ ସିଟିରେ ଏହି କ୍ୟାମେରା ଲଗା ଯାଉଛି। ରାଉରକେଲା ଇସ୍ପାତ ସହର ସ୍ମାର୍ଟ୍ ସିଟି ଶୃଙ୍ଖଳାରେ ରହି ଥିବାରୁ ସହରର ରାସ୍ତା ବ୍ୟତୀତ ଅନ୍ୟ କେତେକ ମୁଖ୍ୟ ସ୍ଥାନରେ ୬ ଶହ କ୍ୟାମେରା ଲଗା ଯାଇଛି। ୨୬ କିଲୋମିଟର୍ ରେ ଫାଇବର୍ ଅପଟିକ୍ ବିଛା ଯାଇଛି। ମାତ୍ର ଅଧିକାଂଶ ସିସିଟିଭି କ୍ୟାମେରା କାମ କରୁନାହିଁ। ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ସ୍ମାର୍ଟ୍ ସିଟି ଲିମିଟେଡ୍ ଅଧୀନରେ ରହିଛି। ରକ୍ଷଣାବେକ୍ଷଣ ଠିକ୍ ଭାବେ ଚାଲୁଥିବା ବେଳେ ସଫ୍ଟ ୱେୟାର ଅସୁବିଧା ପାଇଁ ଅର୍ଦ୍ଧେକରୁ ଉର୍ଦ୍ଧ୍ବ କ୍ୟାମେରା କାମ କରୁ ନାହିଁ। ସଫ୍ଟ ୱେୟାର ଅପଡେଟ୍ କରିବାର ଦାୟିତ୍ବ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ହାତରେ ରହିଛି। ମାତ୍ର ଦୁଇ ବର୍ଷ ହେଲା ସହରର ସିସିଟିଭି କ୍ୟାମେରା ବ୍ୟବସ୍ଥା ଠିକ୍ ହୋଇ ପାରୁନାହିଁ। ଏହି ଅସୁବିଧା ବାବଦରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ସ୍ମାର୍ଟ୍ ସିଟି ଲିମିଟେଡ ର ସିଇଓ ଆଶୁତୋଷ କୁଲକର୍ଣି କେନ୍ଦ୍ର ସରକାରଙ୍କ ହଉସିଂ ଏବଂ ଅର୍ବାନ ମନ୍ତ୍ରାଳୟକୁ ଅବଗତ କରାଇଛନ୍ତି।

ରାଉରକେଲା ସହରର ଜନ ଗହଳିପୂର୍ଣ୍ଣ ବସ୍ ଷ୍ଟାଣ୍ଡ , ଟ୍ରାଫିକ ଗେଟ୍ , ହନୁମାନ ବାଟିକା ଛକ , ମଧୁସୂଦନ ମାର୍ଗ ଛକ , ନାଲାରୋଡ , ଡେଲି ମାର୍କେଟ , ଉଦିତ ନଗର , ଷ୍ଟେସନ୍ ଅଞ୍ଚଳରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଅଧିକାଂଶ କାମ କରୁନାହିଁ। ସହରବାସୀଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ବ୍ୟବସ୍ଥା କରା ଯାଇଥିବା ବେଳେ ଏହାର ସୁଫଳ ମିଳୁ ନାହିଁ। ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଭଳି ମହାରତ୍ନ କମ୍ପାନୀ କ୍ୟାମେରା ବ୍ୟବସ୍ଥା କୁ ଠିକ୍ ଭାବେ କରି ପାରୁ ନଥିବା ଦୁଃଖର ବିଷୟ। ଦିନେ ନୁହେଁ କି ମାସେ ନୁହେଁ ଏପରି ଅବ୍ୟବସ୍ଥା ଦୁଇ ବର୍ଷ ହେଲା ଲାଗି ରହିଛି। ତିନି ମାସ ମଧ୍ୟରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ଠିକ୍ ହୋଇ ଯିବା କୁହା ଯାଉଥିବା ବେଳେ ଏଥି ନେଇ ସାଧାରଣରେ ସନ୍ଦେହ ରହିଛି।

Leave A Reply

Your email address will not be published.