ରାଉରକେଲା : ୩୦/୧୨(ସତ୍ୟାନ୍ୟୁଜ)
ଏବେ ରାଉରକେଲାରେ ଚାଲିଛି ହକି ପ୍ରିମୀୟର ଲିଗ୍। ପ୍ରାୟ ଏକ ମାସ ଧରି ଏହି ଲିଗ୍ ଚାଲିବ। ମାତ୍ର ରାଉରକେଲା ରୁ ବିମାନ ସେବା ଏପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇ ପାରିଲା ନାହିଁ। ଗତ ବର୍ଷ ଉଡାନ୍ ସ୍କିମ୍ ରେ ରାଉରକେଲା ଏଆରପୋର୍ଟ କୁ ଯୋଡ଼ା ଯିବା ପରେ ନିୟମିତ ବିମାନ ସେବା ନେଇ ଆଶା ପ୍ରକାଶ ପାଇଥିଲା। ଆଲାଏନ୍ସ ଏଆର ପକ୍ଷରୁ ମଧ୍ୟ ଭୁବନେଶ୍ଵର – ରାଉରକେଲା ଏବଂ ରାଉରକେଲା – କୋଲକାତା ବିମାନ ସେବା ଆରମ୍ଭ ହୋଇଥିଲା। ମାତ୍ର ଏହି ସେବା କେବେ ମଧ୍ୟ ନିୟମିତ ହୋଇ ପାରିଲା ନାହିଁ। ଚଳିତ ମାସ ରାଉରକେଲାରୁ ବିମାନ ସେବା ପ୍ରାୟ ବନ୍ଦ ରହିଛି। ବିମାନ ସେବା ସହରରୁ ନିୟମିତ କରିବା ଲାଗି ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ମଧ୍ୟ କରାଯିବା ଲାଗି ସଜବାଜ ଆରମ୍ଭ ହୋଇ ଗଲାଣି। ରାଉରକେଲା ଏଆରପୋର୍ଟ ଆକ୍ସନ୍ କମିଟି ପକ୍ଷରୁ ବିମାନ ବନ୍ଦର ନିକଟରେ ଜାନୁଆରୀ ୧ ତାରିଖରୁ ଧାରଣା ଦିଆ ଯିବାର କାର୍ଯ୍ୟକ୍ରମ ରହିଛି। ବିମାନ ସେବା ନିୟମିତ ସହ ବିମାନ ବନ୍ଦରକୁ ଏଆରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କୁ ହସ୍ତାନ୍ତର କରିବାକୁ ଦାବି କରାଯାଉଛି।। ଏହାସହ ଆଇ ଏଲ୍ ସିଷ୍ଟମ୍ ଲାଗୁ , ରାତ୍ରି କାଳୀନ ବିମାନ ଅବତରଣ ସୁବିଧା ଆଦି ଦାବି କରା ଯାଉଛି। ଏଆରପୋର୍ଟ ସମ୍ପ୍ରସାରଣ ଏବଂ ବିମାନ ସେବାରେ ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି କହିଛନ୍ତି।