ରାଉରକେଲା : ଆସନ୍ତାକାଲି ଠାରୁ ହକି ଇଣ୍ଡିଆ ଲିଗ୍।। ସହରରେ ପହଞ୍ଚିଲେ ୭ଟି ଦଳ।। ସନ୍ଧ୍ୟାରେ ପହଞ୍ଚିବ ତାମିଲନାଡୁ ଡ୍ରାଗନ୍ସ।

0 392

*ଆସନ୍ତାକାଲି ଠାରୁ ହକି ଇଣ୍ଡିଆ ଲିଗ୍‌।
*ପହଞ୍ଚିଲେଣି ସବୁ ଦଳ, ଆଜି ପହଞ୍ଚିଲେ ତାମିଲନାଡ଼ୁ ଡ୍ରାଗନ୍ସ।
*ବନ୍ଧୁତ୍ବପୂର୍ଣ୍ଣ ଅଭ୍ୟାସ ମ୍ୟାଚ୍।

ରାଉରକେଲା : ୨୭/୧୨(ସତ୍ୟାନ୍ୟୁଜ) ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ହକି ଇଣ୍ଡିଆ ଲିଗ୍‌। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୮ ତାରିଖରେ ପ୍ରଥମ ମ୍ୟାଚ୍‌ ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନ ମୋହନ ସିଂହ ଙ୍କ ନିଧନରେ ୭ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରଯାଉଥିବାରୁ ଉଦଘାଟନୀ ଉତ୍ସବରେ ଆୟୋଜିତ ହେବାକୁ ଥିବା ମନୋରଞ୍ଜନ କାର୍ଯ୍ୟକ୍ରମ ବାତିଲ ହେବାର ସମ୍ଭାବନା ରହିଛି। ଏହି ପ୍ରତିଯୋଗିତା ପାଇଁ ମୋଟ୍‌ ୭ଟି ଦଳ, ଯଥା- ସୂର୍‌ମା ହକି କ୍ଲବ, ୟୁପି ରୁଦ୍ରସ୍‌, ହାଇଦ୍ରାବାଦ ତୁଫାନ୍ସ, ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ‌୍, ଟିମ୍‌ ଗୋନାସିକା, ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ରାଉରକେଲାରେ ପହଞ୍ଚିସାରିଛନ୍ତି। ଆଜି ସନ୍ଧ୍ୟାରେ ଅନ୍ତିମ ଦଳଭାବେ ତାମିଲନାଡ଼ୁ ଡ୍ରାଗନ୍ସ ରାଉରକେଲାରେ ପହଞ୍ଚିବ। ତାମିଲନାଡ଼ୁ ଦଳରେ ଓଡ଼ିଆ ତାରକା ତଥା ଦୁଇଦୁଇଥର ଅଲିମ୍ପିକ୍‌ରେ ଭାରତର ପ୍ରତିନିଧିତ୍ବ କରିଥିବା ଅମିତ ରୋହିଦାସ ଅଛନ୍ତି।
ହକି ଇଣ୍ଡିଆ ଲିଗ୍‌ ଆରମ୍ଭ ପୂର୍ବରୁ ଶୁକ୍ରବାର ପୂର୍ବାହ୍ନରେ ୬ଟି ଦଳର ଅଧିନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ୬ ଅଧିନାୟକଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି। ଅପରପକ୍ଷରେ ପୂର୍ବରୁ ପହଞ୍ଚିସାରିଥିବା ବିଭିନ୍ନ ଦଳ କ୍ରୀଡ଼ାଭ୍ୟାସ ଆରମ୍ଭ କରିଦେଇଛନ୍ତି। ପରସ୍ପର ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳୁଛନ୍ତି । ଗୁରୁବାର ଅପରାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଟିମ୍‌ ଗୋନାସିକା ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳା ଯାଇଥିଲା। ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିତ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଅଭ୍ୟାସ ମ୍ୟାଚ୍‌ ହୋଇଥିଲେ ସୁଦ୍ଧା ଏହା ବେଶ୍‌‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା।

Leave A Reply

Your email address will not be published.