ବିରମିତ୍ରପୁର : ଟ୍ରକ୍ ମାଡ଼ି ଯାଇ ୩ ବର୍ଷ ର ଶିଶୁକୁ ନେଇ ଉତ୍ତେଜନା।। ବାଇପାସ୍ ଦାବିରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ।
ବିରମିତ୍ରପୁର : ୨୪/୧୨(ସତ୍ୟାନ୍ୟୁଜ) ଆଜି ସକାଳେ ବିରମିତ୍ରପୁରରେ ଟ୍ରକ୍ ଚାପାରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସଡକ ସୁରକ୍ଷା ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ସ୍ଥାନୀୟ ଲୋକେ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ୨ ବର୍ଷର ଛୁଆ ସହ ଏକ ପରିବାର ବାଇକ୍ ରେ ଯାଉଥିବା ବେଳେ ସହରର ପେଟ୍ରୋଲ ପମ୍ପ ନିକଟରେ ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା। ଫଳରେ ଛୁଆଟି ବାଇକ୍ ରୁ ରାସ୍ତା ଉପରେ ଛିଟିକି ପଡିଥିଲା। ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ପିଲାଟି ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଖବର ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଲୋକଙ୍କ ଅଭିଯୋଗ ଅନୁଯାୟୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଟାଉନ୍ ମଧ୍ୟରେ ବାରମ୍ବାର ଏପରି ଦୁର୍ଘଟଣା
ଘଟୁଛି। ରୋଡ ସାଇଡ୍ ରେ ଡ୍ରେନ୍ ନିର୍ମାଣ ପରେ ରାସ୍ତାର ଚଉଡ଼ା କମ୍ ହୋଇ ଯାଇଛି। ଫଳରେ ଟ୍ରକ୍ ଗଲା ବେଳେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି। ଶୀଘ୍ର ବାଇପାସ୍ ନିର୍ମାଣ କରି ଭାରି ଯାନ କୁ ସହର ମଧ୍ୟ ଦେଇ ଯାତାୟାତ ବନ୍ଦ କରିବାକୁ ଦାବି ହେଉଛି।