ସୁନ୍ଦରଗଡ : ଦୁଇଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ।। ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ ମାନଙ୍କୁ ପୁରସ୍କୃତ କରାଗଲା।

0 280

ସୁନ୍ଦରଗଡ଼ ଠାରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ସୁନ୍ଦରଗଡ଼ : ୪/୧୨(ସତ୍ୟାନ୍ୟୁଜ) ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଆଜି ଜିଲ୍ଲା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ “ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା” ଉଦଘାଟିତ ହୋଇଯାଇଛି। ମତ୍ସ୍ୟ ତଥା ପଶୁ ସମ୍ପଦ ବିଭାଗ ଦ୍ଵାରା ଜନ ସାଧାରଣ ମାନଙ୍କ ପାଇଁ ପ୍ରଯୁଜ୍ୟ ଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ପ୍ରତ୍ୟେକ କ୍ଷେତ୍ର ରେ ପହଞ୍ଚାଇବା ତଥା ଏହି ଯୋଜନା ଗୁଡିକ ଦ୍ଵାରା ହିତାଧିକାରୀ ମାନେ ଲାଭବାନ ହେବା ସହିତ ସେମାନଙ୍କ ଜୀବନଧାରଣ ର ମାନଦଣ୍ଡ ରେ ଉନ୍ନତି ଆଣିବା ହେଉଛି ଏହି ମେଳା ର ମୁଖ୍ୟ ଉଦ୍ଦେଶ୍ୟ। ଏହି ମେଳା ଦୁଇ ଦିନ ଧରି ଚାଲିବ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଉମାକାନ୍ତ ସାହୁ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ମତ୍ସ୍ୟ ଓ ପଶୁପାଳନ ସହିତ ଜଡ଼ିତ ଥିବା ଚାଷୀ ଏଥିରେ ଯୋଗ ଦେଇଥିଲେ।
ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ମହାଜନ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ର ବିଭିନ୍ନ ଯୋଜନା ଗୁଡ଼ିକ ସଂପର୍କରେ ଆଲୋଚନା କରିବା ସହିତ ସୁନ୍ଦରଗଡ଼ ଜିଲ୍ଲା ରେ ଏଥି ନିମନ୍ତେ ବହୁତ୍ ସୁଯୋଗ ରହିଛି ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ତେଣୁ ଚାଷୀ ମାନେ ବିଭାଗ ର ପ୍ରତ୍ୟେକ ଯୋଜନା ,କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଭଲ ଭାବରେ ବୁଝି ତାହାକୁ ଉପଯୋଗ କରି ଲାଭବାନ ହେଇ ପାରିବେ ବୋଲି କହିଥିଲେ। ଏହା ସହିତ ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ଏହି ସବୁ ଯୋଜନା ଆଦି ଉପଯୋଗ କରିବା ନିମନ୍ତେ ଉତ୍ସାହିତ କରିବେ ବୋଲି କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମତ୍ସ୍ୟ ଓ ପଶୁସମ୍ପଦ ପାଳନ ଦ୍ଵାରା ଚାଷୀ ସ୍ବାବଲମ୍ବୀ ହୋଇପାରିବେ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସେହିଭଳି ବାୟୋଫ୍ଲକ୍ ମାଧ୍ୟମରେ ମାଛ ଚାଷ, ମାଛ ଚାଷ ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ଭୂମିକା, ସୁନ୍ଦରଗଡ଼ ଜିଲ୍ଲା କୁ ମତ୍ସ୍ୟ ଓ ପଶୁସମ୍ପଦ କ୍ଷେତ୍ର ରେ ଅଗ୍ରଣୀ କରିବା ଦିଗ ରେ ଉତ୍ସାହିତ କରିବା ସହିତ ମାଛ ଯାଆଁଳ , ମତ୍ସ୍ୟ ଉତ୍ପାଦନ ଦ୍ଵାରା ପରିବାର ର ଆର୍ଥିକ ଉନ୍ନତି ଆଣିବାରେ ସହାୟକ ହୋଇପାରିବେ ବୋଲି ଅତିଥି ମାନେ ଗୁରୁତ୍ଵାରୋପ କରିଥିଲେ।

ପରେ ପରେ ବୈଜ୍ଞାନିକ ଓ ଚାଷୀ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବସନ୍ତ କୁମାର ଧଳ ଏବଂ ନୂଆଗାଁ ବ୍ଲକ ର ସହକାରୀ ମତ୍ସ୍ୟ ଅଧିକାରୀ ସୁଧାଂଶୁ ଶେଖର ବେହେରା ଉପସ୍ଥିତ ରହି ଚାଷୀ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ ଏବଂ ଚାଷ ର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କୁଆରମୁଣ୍ଡା ବ୍ଲକ ର ମଲ୍ଲିକା ସ୍ଵୟଂ ସହାୟକ ଗୋଷ୍ଠୀ, ଲେଫ୍ରୀପଡ଼ା ବ୍ଲକ ର ଦୀପିକା ପଟେଲ, ଟାଂଗରପାଲି ବ୍ଲକ ର ସବିତା ପଟେଲ, ବଳିଶଙ୍କରା ବ୍ଲକ ର ପ୍ରଦୀପ ଏକ୍କା ଙ୍କୁ ଶ୍ରେଷ୍ଠ ଚାଷୀ ଭାବେ ପୁରସ୍କୃତ କରାଯାଇଥିଲା। ସେହିଭଳି ପ୍ରାଣୀ ସଂପଦ ବିଭାଗ ତରଫ ରୁ ସବଡେଗା ବ୍ଲକ ର ପଲ୍ଲବୀ ସ୍ଵୟଂ ସହାୟକ ଗୋଷ୍ଠୀ, କୁତ୍ରା ବ୍ଲକ ର ଶଙ୍କର ଟପ୍ପ, ଲେଫ୍ରିପଡା ବ୍ଲକ ର ତରଣିସେନ ପଟେଲ, ଲହୁଣୀପଡ଼ା ବ୍ଲକ ର ପୂର୍ଣ୍ଣଚନ୍ଦ୍ର ମହନ୍ତ ଙ୍କୁ ଶ୍ରେଷ୍ଠ ଚାଷୀ ଭାବେ ପୁରସ୍କୃତ କରାଯାଇଥିଲା।

 କାର୍ଯ୍ୟକ୍ରମ ଆରମ୍ଭ ରେ ସମସ୍ତ ଅତିଥି ମାନେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ଵାରା କରାଯାଇଥିବା ବିଭିନ୍ନ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ। ଏଥିରେ ୩୫ ଗୋଟି ଷ୍ଟଲ କରାଯାଇଛି। ସେଥି ମଧ୍ୟରୁ କିଛି ଜୀବନ୍ତ ଷ୍ଟଲ ମଧ୍ୟ ରହିଛି ଯେପରିକି, ବାୟୋଫ୍ଲକ ପଦ୍ଧତି ରେ ମାଛ ଚାଷ, କେଜ୍ କଳଚର ମାଧ୍ୟମରେ ମାଛ ଚାଷ, ସମନ୍ଵିତ କୃଷି , ଗୋ ପାଳନ, ଛେଳି ପାଳନ, ବତକ ପାଳନ, କୁକୁଡ଼ା ପାଳନ, ଆଦି ରହିଛି।

ପରେ ପରେ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ଦ୍ଵାରା ଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଜନସଚେତନତାଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.