ରାଉରକେଲା : ପୁଣି ବଢିଲା ଆଳୁ ଦର।। କେଜି ପ୍ରତି ଖୁଚୁରା ମାର୍କେଟ ରେ ୪୫ ଟଙ୍କା।। ବେଙ୍ଗଲ ରୁ ଆସୁ ନାହିଁ ଆଳୁ ଟ୍ରକ୍।। କାନପୁର ଆଳୁ ୪୦ ଟଙ୍କା।
ରାଉରକେଲା : ୧/୧୨(ସତ୍ୟାନ୍ୟୁଜ) ପୁଣି ବଢିଲା ଆଳୁ ଦର। ତିନିଦିନ ହେଲା ପଶ୍ଚିମବଙ୍ଗ ରୁ ଆଳୁ ଗାଡ଼ି ଆସୁ ନଥିବାରୁ ଆଳୁ ରେଟ୍ ବୃଦ୍ଧି ପାଇଥିବା କୁହାଯାଉଛି। ଦୁଇ ଦିନରେ ଆଳୁ ଦର ୮ ରୁ ୧୦ ଟଙ୍କା ବୃଦ୍ଧି ପାଇଛି। ଫଳରେ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ କେତେକ ସ୍ଥାନରେ ୪୫ ଟଙ୍କାରେ ବିକ୍ରି ହେଉଛି। ରାଉରକେଲା ଡେଲି ମାର୍କେଟ , ଟ୍ରାଫିକ ଗେଟ୍ , ଇସ୍ପାତ ମାର୍କେଟ ଆଦି ଅଞ୍ଚଳରେ ବେଙ୍ଗଲ ଆଳୁ ୪୨ ରୁ ୪୫ ଟଙ୍କା ଥିବା ବେଳେ ଉତ୍ତରପ୍ରଦେଶ ରୁ ଆସିଥିବା ଆଳୁ ୪୦ ଟଙ୍କାରେ ବିକ୍ରି ହେଉଛି। ପାଇକରି ରେଟ୍ ବେଙ୍ଗଲ ଆଳୁ କୁଇଣ୍ଟାଲ୍ ପିଛା ୩୬୦୦ ରେ ବିକ୍ରି ହେଉଥିବା ବେଳେ କାନପୁର ଆଳୁ ୩୨୦୦ ଟଙ୍କାରେ ବିକ୍ରି ହେଉଛି। ରାଉରକେଲା ବଜାର କୁ ପ୍ରତିଦିନ ପାଖାପାଖି ୮ ରୁ ୧୦ ଟ୍ରକ୍ ଆଳୁ ଆସିଥାଏ। ମାତ୍ର ଏବେ ବେଙ୍ଗଲ ରୁ ଆଳୁ ଆସୁ ନଥିବାରୁ ହୋଲ୍ ସେଲ୍ ବଜାର ରେ ଷ୍ଟକ୍ ସରି ଆସିଲାଣି। ୬୦ ପ୍ରତିଶତ ଆଳୁ ବେଙ୍ଗଲ ରୁ ଆସୁଥିବାରୁ ଆଗାମୀ ଦିନରେ ସହରରେ ଆଳୁ ସଙ୍କଟ ଦେଖା ଯିବାର ସମ୍ଭାବନା ରହିଛି। ଦୁଇ ଦିନରେ ଆଳୁ ଦର କେଜି ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ଥିବାରୁ ଯୋଗାଣ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଆଳୁ ସାଙ୍ଗକୁ ପିଆଜ କେଜିଁପ୍ରତି ୫୫ ଟଙ୍କା ଏବଂ ରସୁଣ ୩୦୦ ଟଙ୍କା ଥିବାରୁ ସାଧାରଣ ଖାଉଟିଙ୍କ ସମସ୍ୟା ବଢ଼ି ଯାଇଛି।