ରାଉରକେଲା : ପନି ପରିବା ଦରରେ ଅହେତୁକ ବୃଦ୍ଧି।। ସ୍ଥାନୀୟ ପରିବା ଲୋକଙ୍କ ପସନ୍ଦ।। ଟମାଟୋ ୬୦ ଥିବା ବେଳେ କ୍ୟାପ୍ସିକମ ୧୬୦ ଟଙ୍କା।
ରାଉରକେଲା : ୧୮/୬ (ସତ୍ୟାନ୍ୟୁଜ) କିଛିଦିନ ହେଲା ରାଉରକେଲା ସହରରେ ପନି ପରିବା ଦର ବୃଦ୍ଧି ପାଇଛି। ଯଦିଓ କିଛି ପନି ପରିବାର ପୂର୍ବ ଦର ରହିଛି ତଥାପି କେତେକ ପରିବା ଦାମ ଆକାଶ ଛୁଆଁ ହୋଇଛି। ଭେଣ୍ଡି , ବାଇଗଣ , ବରଗୁଡି , ଅମୃତଭଣ୍ଡା , ଫୁଲ କୋବି , ବନ୍ଧା କୋବି ଆଦି ପରିବା ଦର ୪୦ଟଙ୍କା ମଧ୍ୟରେ ରହିଥିବା ବେଳେ ଜହ୍ନି କେଜି ପିଛା ୬୦ ଟଙ୍କା ରହିଛି। ଅନ୍ୟ କେତେକ ପରିବାର ଦାମ ଅଧିକ ରହିଛି। କ୍ୟାପ୍ସିକମ କିଲୋ ପ୍ରତି ୧୬୦ରୁ ୨୦୦ ଟଙ୍କା ଥିବା ବେଳେ ଗାଜର , ପୋଟଳ ଏବଂ ଟମାଟୋ କିଲୋ ପ୍ରତି ୫୦ରୁ ୬୦ ଟଙ୍କା ରହିଛି। ସ୍ଥାନୀୟ ଉତ୍ପାଦିତ ପରିବା ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ବାହାରୁ ଆସୁଥିବା ପରିବାକୁ ଲୋକମାନେ କିଣିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରଭାବ ଅଧିକ ଦିନ ରହିବାରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ପନି ପରିବା ଦାମ ବଢ଼ିଥିବାରୁ ଲୋକେ ସ୍ୱଳ୍ପ ପରିମାଣର ପରିବା ନେଉଛନ୍ତି। ଫଳରେ ବିକ୍ରି ନହୋଇ ପରିବା ପଡି ରହୁଛି। ବର୍ଷା ଆସିଲେ ପନିପରିବା ଦର କମିବା ନେଇ ଆଶା ରହିଛି।