ରାଉରକେଲା : ୨୮/୪ (ସତ୍ୟାନ୍ୟୁଜ) ନାଟ୍ୟ ଜଗତର ବେତାଜ୍ ବାଦଶାହ ଡକ୍ତର ସଚ୍ଚି ଦାସଙ୍କ ବିୟୋଗରେ ରାଉରକେଲାର ବିଭିନ୍ନ ନାଟ୍ୟ ସଂସ୍ଥା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ସ୍ବର୍ଗତ ଦାସଙ୍କ ଏକାଦଶାହରେ ସହରର ନାଟ୍ୟ ପରିବାର ପକ୍ଷରୁ ତାଙ୍କର ସୃତି ଚାରଣ କରାଯାଇଛି। ରାଉରକେଲା ନାଟ୍ୟ ଜଗତ ସହ ଡକ୍ତର ସଚ୍ଚି ଦାସ ତିନି ଦଶନ୍ଧି ଧରି ସଂଶ୍ଳିଷ୍ଟ ଥିଲେ। ବିଶେଷ କରି ସେ ୧୦ ବର୍ଷ ଧରି ସିଭିକ୍ ସେଣ୍ଟରରେ ଅୟୋଜିତ ନାଟ୍ୟ ମହୋତ୍ସବରେ ବିଚାରକ ଭାବେ ସାମିଲ ଥିଲେ। ପରିଣତ ବୟସରେ ମଧ୍ୟ ସେ ରାଉରକେଲା ଆସି ବିଚାରକ ଭାବେ ନିଜ ଦାଇତ୍ୱ ତୁଲାଉ ଥିଲେ। ତାଙ୍କ ଆବର୍ତ୍ତମାନରେ ନାଟ୍ୟ ଜଗତରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ତା ପୂରଣ ହୋଇ ପାରିବ ନାହିଁ ବୋଲି କଳାକାର ମାନେ କହିଛନ୍ତି।
ଡକ୍ଟର ସଚ୍ଚି ଦାସ ୧୯୩୪ ମସିହାରେ ଯାଜପୁର ଜିଲ୍ଲା ବରି ବ୍ଲକର ଆନନ୍ଦପୁର ଗ୍ରାମରେ ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଭାଇ ମାନେ ବିଭିନ୍ନ ଉଚ୍ଚ ସରକାରୀ ପଦବୀରେ ଥିବା ବେଳେ ସେ ନାଟ୍ୟ ଜଗତ ପ୍ରତି ଆକୃଷ୍ଟ ହୋଇଥିଲେ। କଳା ପ୍ରତି ତାଙ୍କର ଏକାଗ୍ରତା ଯୋଗୁଁ ଜୀବନ କାଳରେ ସେ ୫୦୦ ରୁ ଉର୍ଦ୍ଧ୍ବ ସମ୍ମାନରେ ସମ୍ମାନିତ ହୋଇଥିଲେ। ନାଟ୍ୟ ଜଗତର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ତାଙ୍କୁ ସମ୍ମାନିତ କରା ଯାଇଥିଲା। ତାଙ୍କର ନିର୍ଦ୍ଦେଶିତ ନାଟକ ‘ ଶାଗୁଣା ବସିଛି ଡେଣା ମେଲାଇ’ ବେଶ ଜନ ଆଦୃତ ହୋଇଥିଲା। ସେ ଏକାଧାରରେ ଯାତ୍ରା , ରଙ୍ଗମଞ୍ଚ , ସିନେମା , ଟେଲିଭିଜନ ଧାରାବାହିକ ଦୁନିଆରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ବିୟୋଗରେ ନାଟ୍ୟ ଜଗତରେ ଯେଉଁ ଅପୁରାଣୀୟ କ୍ଷତି ଘଟିଛି ତାହା ପୂରଣ ହୋଇ ପାରିବ ନାହିଁ।