ସୁନ୍ଦରଗଡ : ଦାବି ପୂରଣ ନହେଲେ ଭୋଟ ବର୍ଜ୍ଜନର ଚେତାଵନୀ ଦେଲେ ବିସ୍ଥାପିତ।। ଏମ୍ ସି ଏଲ ବିସ୍ଥାପିତଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 325

ସୁନ୍ଦରଗଡ଼ : ୧୪/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଏମସିଏଲ ବସୁନ୍ଧରା – ଗର୍ଜନବାହାଲ କୋଇଲା ଖଣି ପ୍ରକଳ୍ପ ରେ ପ୍ରଭାବିତ ୧୪ ଖଣ୍ଡ ଗାଁ ର ବିସ୍ଥାପିତ ମାନେ ଆଜି ବିସ୍ଥାପନ ଏବଂ ଥଇଥାନ ନୀତି ର ପାଳନ ନକରିବା , ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କୁ ନମାନିବା ଆଦି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପୁରଣ ନହେଲେ ଆଗାମୀ ସାଧାରଣ ନିର୍ବାଚନ କୁ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ସୁପ୍ରିମକୋର୍ଟ ଏବଂ କ୍ଲେମ କମିଶନରେ କେଶ ପେଣ୍ଡିଂ ରହିଛି। ଫଇସଲା ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିସ୍ଥାପିତ ଙ୍କ ଆନ୍ଦୋଳନ ବେଳେ ଆଜି ଧସ୍ତାଧସ୍ତି , ଠେଲାପେଲା ଦେଖିବାକୁ ମିଳିଥିଲା । ଆଜି ଏମସିଏଲ କୋଇଲା ଖଣି ପ୍ରକଳ୍ପ ରେ ପ୍ରଭାବିତ ୧୪ ଖଣ୍ଡି ଗାଁ ର ହଜାର ହଜାର ବିସ୍ଥାପିତ ଏମସିଏଲ ବିରୁଦ୍ଧରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସବୁ ଜମି ନେଇଗଲା ପରେ ମଧ୍ୟ ଏମସିଏଲ ଠିକ୍ ଭାବରେ କ୍ଷତିପୂରଣ ଦେଉନଥିବା ଅଭିଯୋଗ ହୋଇଛି। ଏପରି କି ଘରଡିହ ର କ୍ଷତିପୂରଣ ପ୍ରଦାନ ନକରି ବିସ୍ଥାପିତ କରୁଛି କମ୍ପାନୀ । ୨୦୧୩ ପୁନର୍ବାସ ଏବଂ ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ଏବଂ ଥଇଥାନ କରିବା ପାଇଁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କୁ ବି ମାନୁ ନାହିଁ ଏମସିଏଲ । ନିଜର ଭିଟା ମାଟି ହରାଇ ଆଜି ବାର ଦୁଆର ଶୁଣ୍ଡି ପିଣ୍ଡା ହେଇଛନ୍ତି ବିସ୍ଥାପିତ ପରିବାର। ଶୀଘ୍ର ସମସ୍ତ ସମସ୍ୟା ର ସମାଧାନ କରି କ୍ଷତିପୂରଣ ପ୍ରଦାନ ଓ ଥଇଥାନ ଦାବୀ କରି ଆଜି ଗର୍ଜିଥିଲେ ବିସ୍ଥାପିତ।

ଏହି ଅଞ୍ଚଳରେ ଏମସିଏଲ ତାର କୋଇଲା ପ୍ରକଳ୍ପ ଆରମ୍ଭ କରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ବିସ୍ଥାପିତ ଙ୍କ କ୍ଷତିପୂରଣ ପ୍ରଦାନ କରି ନାହିଁ । କେବଳ ସେତିକି ନୁହେଁ ପୁନର୍ବାସ ଏବଂ ଥଇଥାନ ନୀତି ଅନୁସାରେ ସୁବିଧା ଓ ଚାକିରି ବାବଦ ରେ ମଧ୍ୟ ଏମସିଏଲ ଟାଲଟୁଲ ନୀତି ଅବଲମ୍ବନ କରୁଛି । ଏପଟେ ଗୋଟେ ପରେ ଗୋଟେ ଖଣି ଖୋଲି ଚାଲିଛି କିନ୍ତୁ ବିସ୍ଥାପିତ ଙ୍କ ସମସ୍ୟା ଯାହା କୁ ତାହା । ଯଦି ସମସ୍ତ ଅଭିଯୋଗ ର ସମାଧାନ ନ ହୁଏ ତାହେଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବା ପାଇଁ ବିସ୍ଥାପିତ ମାନେ ଚେତାବନୀ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ମାମଲା ସୁପ୍ରିମ କୋର୍ଟ ଏବଂ କ୍ଲେମ୍ କମିଶନ ଙ୍କ ନିକଟରେ ବିଚାରାଧୀନ ରହିଛି । ଯେପରି ନିର୍ଦ୍ଧେଶ ଆସିବ ସେହି ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.