ରାଉରକେଲା : ୧୧/୨ (ସତ୍ୟାନ୍ୟୁଜ) ଦୁଷ୍କର୍ମ ପରେ ହତ୍ୟା। ହତ୍ୟା କରି ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତର ଉଦ୍ୟମ। ଏପରି ଏକ ଚାଞ୍ଚଲ୍ୟକର ଅପରାଧ ଘଟଣା ଆସିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରୁ। ପୋଲିସ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। କଲୁଙ୍ଗା ଫାଣ୍ଡି ଅଞ୍ଚଳରେ ବିକାଶ ବାର୍ଲା ତାଙ୍କ ଭାଇ ଭାଉଜଙ୍କ ସହ ରହନ୍ତି। ଘର କାମ କରିବାକୁ ତାଙ୍କ ଭାଉଜ ଜଣେ ୧୬ ବର୍ଷୀୟା ନାବାଳିକାକୁ ଲହୁଣୀପଡା ଥାନା ଅଞ୍ଚଳରୁ ଆଣିଥିଲେ। ୮ ତାରିଖ ଦିନ ବିକାଶ ର ଭାଇ ଭାଉଜ ଘରେ ନଥିବା ବେଳେ ସେ ନାବଳିକା ଜଣକୁ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଏହି ବିଷୟ ତାଙ୍କ ଭାଉଜଙ୍କୁ କହି ଦେବ ବୋଲି ଧମକାଇବାରୁ ବିକାଶ ଉକ୍ତ ନାବାଳିକାଙ୍କ ମୁହଁରେ ତକିଆ ମାଡି ଦେଇଥିଲା। ଫଳରେ ଶ୍ୱାସରୁଦ୍ଧ ହୋଇ ନାବାଳିକା ଜଣକ ମୃତ୍ୟୁ ବରଣ କରିଥିଲେ। ପରେ ବିକାଶ ନାବଳିକାକୁ ଓଢଣୀ ସାହଯ୍ୟରେ ଘର ଓଳାରେ ଟାଙ୍ଗି ଦେଇ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ ଆଣି ଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ଦିନ ନାବାଳିକାଙ୍କ ପରିବାର ପକ୍ଷରୁ ବ୍ରାହ୍ମଣୀ ତରଙ୍ଗ ଥାନାରେ ଏତେଲା ଦେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ବିକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।