ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟି ମହୋତ୍ସବ।। ଗାଁ ଗାଁ ରେ ପୋଷଣର ଉପକାରୀତା ସମ୍ପର୍କରେ ସଚେତନତା।

0 260

ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଗର୍ଭବତୀ ଓ ପ୍ରସୂତି ମା’, କିଶୋରୀ ଏବଂ ସାନ ସାନ ପିଲାମାନଙ୍କୁ ପୋଷଣର ଉପକାରିତା ଗୁଣ ସମ୍ପର୍କରେ ସଚେତନ କରିବା ଲାଗି ‘ଓଡ଼ିଶା ପୁଷ୍ଟି ମହୋତ୍ସବ-୨୦୨୧’ ଆରମ୍ଭ କରାଯାଇଛି। ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟ ସରକାରଙ୍କ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ପକ୍ଷରୁ ସାରା ରାଜ୍ୟରେ ପୁଷ୍ଟି ମହୋତ୍ସବ ଚାଲିଛି। ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ୭ଟି ବ୍ଲକ୍ – କୁତ୍ରା, ଟାଙ୍ଗରପାଲି, ରାଜଗାଙ୍ଗପୁର, ବାଲିଶଙ୍କରା, ଗୁରୁଣ୍ଡିଆ, ବଣାଇଁ ଏବଂ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ୮୦ଟି ଗ୍ରାମ ପଞ୍ଚାୟତର ୪୦୦ କ୍ଲଷ୍ଟରରେ ଏହି କାର୍ଯ୍ୟକ୍ରମ କରାଯାଉଛି।

ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟାମାନେ ଏହି ପୁଷ୍ଟି ମହୋତ୍ସବରେ ସାମିଲ ହୋଇ ପୋଷଣରେ ପରିପୂର୍ଣ୍ଣ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ଖାଦ୍ୟ ଶସ୍ୟରେ କେଉଁସବୁ ପୋଷଣ ରହିଛି ସେ ସମ୍ପର୍କରେ ଏସଏଚଜି ମା’ମାନେ ସ୍ଥାନୀୟ ମହିଳା, କିଶୋରୀ ଏବଂ ପିଲାମାନଙ୍କୁ ବୁଝାଉଛନ୍ତି। ଏହାଛଡ଼ା ଓଡ଼ିଶା ଜୀବିକା ମିଶନ ଅଧୀନରେ ଜିଲ୍ଲାରେ ଚାଲିଥିବା ‘ମୋ ଉପକାରୀ ବଗିଚା’ ସମ୍ପର୍କରେ ସ୍ଥାନୀୟ ମହିଳାମାନଙ୍କୁ ସଚେତନ କରାଯାଉଛି। ଜିଲ୍ଲାର ଅଧିକରୁ ଅଧିକ ମହିଳା କିପରି ଏହିୀ କାର୍ଯ୍ୟକ୍ରମରେ ଯୋଡ଼ି ହେବେ ସେନେଇ ପଦକ୍ଷେପ ନିଆଯାଉଛି।

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଗର୍ଭବତୀ ଓ ପ୍ରସୂତି ମା’, କିଶୋରୀ ଏବଂ ୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପୁଷ୍ଟିର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତା’ ଭିତରେ ‘ମୋ ଉପକାରୀ ବଗିଚା’ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ଏହି ବଗିଚା ତିଆରି ଲାଗି ସହାୟତା ଯୋଗାଇ ଦିଆଯାଉଛି। ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଉଛି।

ହିତାଧିକାରୀମାନେ ବଗିଚାରେ ବାଇଗଣ, କଖାରୁ, ଭେଣ୍ଡି, ଲାଉ, ଜହ୍ନି, ଲଙ୍କା, କାକୁଡି, ଝୁଡ଼ଙ୍ଗ, କଲରା, ଛଚିନ୍ଦ୍ରା, ଅମୃତଭଣ୍ଡା, ଲେମ୍ବୁ, କଦଳୀ ସହିତ ବିଭିନ୍ନ ପ୍ରକାରର ଶାଗ ଲଗାଉଛନ୍ତି। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବିଭିନ୍ନ କିସମର ଦେଶୀ ବିହନ ଏବଂ ଚାରା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ହିତାଧିକାରୀ ନିଜ ବାଡ଼ିରେ ‘ମୋ ଉପକାରୀ ବଗିଚା’ କରିଛନ୍ତି।

Leave A Reply

Your email address will not be published.