ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଖଟକୁର ବାହଲ ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ।। ନୂତନ କୋଠା ଲୋକାର୍ପଣ କଲେ ଜିଲ୍ଲାପାଳ।
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ଖତକୁରବାହାଲ ଅଞ୍ଚଳର ଜନସାଧାରଣଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ କୋଠା ଲୋକାର୍ପଣ କରାଯାଇଛି। ମଙ୍ଗଳବାର ଦିନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଉଦଘାଟନ କରିଛନ୍ତି। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସେବା ସହିତ ବିଭିନ୍ନ ଅଣସଂକ୍ରାମକ ରୋଗର ପରୀକ୍ଷା ଲାଗି ଆବଶ୍ୟକ ସୁବିଧା ରହିଛି।
‘‘ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ଲୋକମାନନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଖତକୁରବାହାଲରେ ଏହି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ନୂତନ ଲୋକାର୍ପଣ ହେବା ଫଳରେ ସ୍ଥାନୀୟ ଲୋକମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ। ପ୍ରାଥମିକ ଚିକିତ୍ସା ସେବା ଲାଗି ଏଠାରେ ଆବଶ୍ୟକ ବ୍ୟବସ୍ଥା କରାଯିବ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଜେଏସଡବ୍ଲ୍ୟୁର ଶିବା ସିମେଣ୍ଟ ୟୁନିଟ୍ ପକ୍ଷରୁ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ କୋଠା ନିର୍ମାଣ କରାଯାଇ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ପରିଚାଳନା କରାଯିବ। ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ ପାଇଁ ଜଣେ ତାଲିମପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯିବ।
‘‘ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହା ସହିତ ଅଣସଂକ୍ରାମକ ରୋଗ ଯଥା – ରକ୍ତଚାପ, ମଧୁମେହ ଏବଂ କର୍କଟ ଆଦି ରୋଗର ପରୀକ୍ଷା ଲାଗି ବ୍ୟବସ୍ଥା ରହିବ। ଲୋକମାନେ ଯେପରି ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, କୁତ୍ରା ବ୍ଲକ୍ ବିଡିଓ ରବୀନ୍ଦ୍ର ସେଠୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ରାଇନୁ ସିଂ, ଶିବା ସିମେଣ୍ଟର କୁତ୍ରା ୟୁନିଟ୍ ମୁଖ୍ୟ ଅନିଲ କୁମାର ମିଶ୍ର, ଖତକୁରବାହାଲ ସରପଞ୍ଚ ମୀନା ପ୍ରମିଳା ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ କୋଠା ଲୋକାର୍ପଣ ପରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିକଟସ୍ଥ ମା’ଗୃହ ପରିଦର୍ଶନରେ ଯାଇଥିଲେ। ସେଠାରେ ଥିବା ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।


