ରାଉରକେଲା:୨୮/୪(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା। ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ ଏବଂ ପୋଲିସ୍। ଆଜି ସକାଳେ ରାଉରକେଲା ଷ୍ଟିଲପ୍ଲାଣ୍ଟ ପରିସର କାନ୍ଥ ନିକଟରେ କାମ ଆରମ୍ଭ ହୋଇଥିଲା। ଏଥିପାଇଁ ଜବରଦଖଲ ଉଚ୍ଛେଦ ବେଳେ ଉପୁଜିଥିଲା ମୁହାଁମୁହିଁ ସ୍ଥିତି । ଉଚ୍ଛେଦକୁ ବିଜୁବନ୍ଧ ଗାଁ ଲୋକେ ପ୍ରବଳ ବିରୋଧ କରିଥିବା ବେଳେ ଘଟଣାସ୍ଥଳରେ ପ୍ରାୟ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ରାଉରକେଲା ଏସପି ନୀତେଶ ୱାଧୱାନି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗ୍ରାମବାସୀ ମାନେ ଧନୁତୀର ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ବିରୋଧ କରୁଥିବା ବେଳେ ପୋଲିସ୍ ୧୨ ଜଣଙ୍କୁ ଅଟକ ରଖିଛି। ଧନୁତୀର ମଧ୍ୟ ଜବତ କରା ଯାଇଛି।
ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ଲାଗି ୩୦ ହଜାର କୋଟି ଟଙ୍କା ବରାଦ ହୋଇଥିବା ବେଳେ ଆବଶ୍ୟକୀୟ ଜମି ମିଳୁନାହିଁ। ଜବରଦଖଲ ହଟାଇବାକୁ ରବିବାର ଦିନ
ଆରଏସପି ଅଧିକାରୀ , ସ୍ଥାନୀୟ ପ୍ରଶାସନ , ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇ ପାରି ନଥିଲା। ଗ୍ରାମବାସୀ ସମୟ ମାଗିଥିବା ବେଳେ ଆଜି ଆରଏସପି ପକ୍ଷରୁ କାମ ଆରମ୍ଭ ହୋଇଛି।