ସ୍ଥାନୀୟ ଭବାନୀ ସ୍ପୋର୍ଟସ କମ୍ପଲେକ୍ସ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।
ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୈରବ ସିଂ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ହକି ଖେଳ ପ୍ରତି ସୁନ୍ଦରଗଡ଼ ଜିଲ୍ଲା ର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହିତ ଖେଳାଳୀମାନେ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା କୁ ନୂତନ ସ୍ତର ରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ସଦର ଉପଜିଲ୍ଲପାଳ ଶ୍ରୀ ଅଭିମନ୍ୟୁ ବେହେରା , ବଣେଇ ଉପଜିଲ୍ଲାପଳ ଶ୍ରୀ ପ୍ରଦୀପ କୁମାର ଡାଙ୍ଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ ଜିଲ୍ଲା ର ପ୍ରତ୍ୟେକ ସ୍ତରରେ ଏଭଳି କ୍ରୀଡ଼ା ର ଆୟୋଜନ କରାଯାଇ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ର ଆବିଷ୍କାର କରାଯିବା ନେଇ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।
ଆଜିର ଚୁଡାନ୍ତ ମ୍ୟାଚ ରେ ମହିଳା ହକି ଦଳ ମଧ୍ୟରୁ ଲେଫ୍ରିପଡ଼ା ବ୍ଲକ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକ ଯଥାକ୍ରମେ ତୃତୀୟ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ମ୍ୟାଚ୍ ର ବିଜୟୀ ହୋଇଥିଲେ କୁତ୍ରା ବ୍ଲକ । ସେହିପରି ପୁରୁଷ ହକି ଦଳ ମଧ୍ୟରେ ନୂଆଗାଁ ବ୍ଲକ ଚତୁର୍ଥ ସ୍ଥାନ ରେ ରହିଥିବା ବେଳେ ଲେଫ୍ରୀପଡ଼ା ଓ ସବଡେଗା ବ୍ଲକ ଯଥାକ୍ରମେ ତୃତୀୟ ଓ ଦ୍ଵିତୀୟ ସ୍ଥାନ ଅକ୍ତିଆର କରିଥିଲେ ଏବଂ କୁତ୍ରା ବ୍ଲକ ପ୍ରଥମ ସ୍ଥାନ ଅଧିକାର କରି ଚ୍ୟମ୍ପୀୟନ୍ ହୋଇଥିଲେ। ହକି ଆସୋସିଏସନ୍ ର କାର୍ଯ୍ୟକାରୀ ଉପସଭାପତି ଶ୍ରୀ ରାମେଶ୍ବର ଟୋପ୍ପୋ, ସାଧାରଣ ସମ୍ପାଦକ ଶ୍ରୀ ସିଲଭେଷ୍ଟର ତିର୍କୀ, ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତେଜ କୁମାର ଖେସ ଓ ଶ୍ରୀ ମିଲଟନ୍ ବିଲୁଙ୍ଗ, ସାଇ ହଷ୍ଟେଲ ର ଅଧିକ୍ଷକ ଶ୍ରୀ ଆବ୍ରାହାମ କିସପଟା ଓ ବରିଷ୍ଠ ହକି ପ୍ରଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଷଡଙ୍ଗୀ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।


