ରିମୋଟ ସେନସିଂ କୌଶଳରେ ମିଳିବ କୃଷି ସମ୍ପର୍କିତ ତଥ୍ୟ।। ସୁନ୍ଦରଗଡ଼ ଜିଲ୍ଲାରେ ଏହା ରାଜ୍ୟର ପ୍ରଥମ ପ୍ରକଳ୍ପ।

0 335

କୃଷିର ବିକାଶ ପାଇଁ ଏହାର ପାରିପାର୍ଶ୍ଵିକ ସ୍ଥିତିର ମନିଟରିଂ ଅତି ଜରୁରୀ। ଜମିର ପ୍ରକାର ଭେଦ, କେଉଁ ଜମି ପାଇଁ କି ପ୍ରକାର ଫସଲ ଉପଯୁକ୍ତ, ମାଟିର ସ୍ଥିତି ଓ ଏହାର ଜଳ ଧାରଣ କ୍ଷମତା ଆଦି ସମ୍ପର୍କରେ ଉଚିତ୍ ସମୟରେ ବିସ୍ତୃତ ତଥ୍ୟ ମିଳିପାରିଲେ ଚାଷୀକୁ ଏହା ବେଶ୍ ସୁଫଳ ଦେବ। ସେହିପରି ସ୍ୱଳ୍ପ ବୃଷ୍ଟି, ଅନାବୃଷ୍ଟି, ବନ୍ୟା, ବାତ୍ୟା, ମରୁଡ଼ି, ଅଦିନିଆ ବର୍ଷା ଭଳି ସ୍ଥିତିକୁ ପୂର୍ବରୁ ଜାଣିପାରିଲେ ସେହି ଅନୁଯାୟୀ ଆଶୁ ପଦକ୍ଷେପ ନେଇପାରିବ କୃଷି ବିଭାଗ ଏବଂ ଜିଲ୍ଲା ପ୍ରଶାସନ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଆଗ୍ରି ମନିଟର୍‌ଡ ରି-ଇଞ୍ଜିନିୟରିଂ ଆଣ୍ଡ ଟ୍ରାନ୍ସଫର୍ମେସନ (ଏଏମ୍‌ଆର୍‌ଟି) ଭଳି ଏକ ଅଭିନବ ପ୍ରକଳ୍ପ ହାତକୁ ନିଆଯାଇଛି। ଏଭଳି ଏକ ପ୍ରକଳ୍ପ ରାଜ୍ୟରେ ପ୍ରଥମ।

ସ୍ଥାନୀୟ ସଦ୍‌ଭାବନା ଭବନଠାରେ ଶନିବାର ଏହି ପ୍ରକଳ୍ପର ୟୁଜରମାନଙ୍କୁ ନେଇ ପ୍ରଥମଥର ଲାଗି ଏକ ସମ୍ମିଳନୀ ଆୟୋଜିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଏମ୍‌ଆର୍‌ଟି ଜରିଆରେ ପ୍ରତି ୩ ମାସରେ ଥରେ ସାଟେଲାଇଟ୍ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରଶାସନକୁ ଦେବା ପାଇଁ ଜିଲ୍ଲାପାଳ ଏହାର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

“ଅନେକ ସମୟରେ କୃଷି ସମ୍ପର୍କିତ ସଠିକ୍ ତଥ୍ୟ ମିଳିପାରେ ନାହିଁ। ପାଣିପାଗ, ମାଟିର ଉର୍ବରତା, ଫସଲର ସ୍ଥିତିରେ ଯେଉଁ ପରିବର୍ତ୍ତନ ସବୁ ଆସୁଛି, ସେସବୁକୁ ଆଗୁଆ ସଠିକ୍ ଆକଳନ କରିପାରିଲେ ଏହା ଚାଷ ଓ ଚାଷୀକୁ ସଠିକ୍ ମାର୍ଗଦର୍ଶନ ଦେଇପାରିବ। ପ୍ରଶାସନକୁ ମଧ୍ୟ କୃଷିର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସୁବିଧା ହେବ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ।

ଏଏମ୍‌ଆର୍‌ଟିରେ ରିମୋର୍ଟ ସେନସିଂ କୌଶଳ ଦ୍ୱାରା ଜିଲ୍ଲାରେ କୃଷିର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ କ୍ରପ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ଫର ଦ ସେମି-ଏରିଡ୍ ଟ୍ରପିକ୍ସ (ICRISAT) ସହ ସୁନ୍ଦରଗଡ଼ ପ୍ରଶାସନ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ଅଭିନବ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଆଗାମୀ ୫ ବର୍ଷ ପାଇଁ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି ପ୍ରକଳ୍ପ ଅଧୀନରେ ସାଟେଲାଇଟ୍ ବା ରିମୋଟ୍ ସେନ୍‌ସିଂ ଦ୍ୱାରା କୃଷି ସମ୍ପର୍କିତ କି କି ତଥ୍ୟ ସଂଗ୍ରହ କରାଯାଇପାରିବ ଏବଂ ସୁନ୍ଦରଗଡ଼ ଜିଲ୍ଲାର କୃଷି ଓ କୃଷକଙ୍କୁ ଏହାର ସୁଫଳ କିପରି ମିଳିପାରିବ, ସେନେଇ ଶନିବାର ଆୟୋଜିତ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଏମ୍‌ଆର୍‌ଟିର ତଥ୍ୟ ଆଧାରରେ ଫସଲ ସ୍ଥିତି, ଜମିର ପ୍ରକାରଭେଦ, ମାଟିର ଆର୍ଦ୍ରତା, କେଉଁ ଅଞ୍ଚଳରେ କେଉଁ ଫସଲ ହୋଇପାରିବ, ସେନେଇ ଯୋଜନା ପ୍ରସ୍ତୁତ କରିବାରେ କୃଷି ଅଧିକାରୀ ଓ ପ୍ରଶାସନକୁ ଏହା ବେଶ୍ ସହାୟକ ହେବ।

ବିଶେଷ କରି ଜମିଜମା ମାନଚିତ୍ରର ଡିଜିଟାଇଜେସନ୍ କରିବାବେଳେ ଉପୁଜୁଥିବା ତ୍ରୁଟିର ସମାଧାନ ସହ ଚାଷୀକୁ ତା’ ଜମି ଚିହ୍ନଟ କରିବାରେ ସମସ୍ୟା ହେବନାହିଁ। ଏହା ଫଳରେ ଚାଷୀମାନେ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ଲାଭ ଉଠାଇପାରିବେ। କୃଷି ଉତ୍ପାଦନର ପରିମାଣ ଆକଳନ କରାଯାଇପାରିବ। ଏହା ବ୍ୟତୀତ ଜଳସେଚନ ଏବଂ ଚାଷୀମାନଙ୍କ ସହ ଜିଲ୍ଲା ପ୍ରଶାସନର ନେଟୱର୍କିଂରେ ମଧ୍ୟ ବିଶେଷ ସହାୟକ ହେବ ଏଏମ୍‌ଆର୍‌ଟି।

ଏଏମ୍‌ଆର୍‌ଟିର ଡାସ୍‌ବୋର୍ଡରେ ଜିଲ୍ଲାର ଯେକୌଣସି ସ୍ଥାନରେ ଉତ୍ପାଦନ ହେଉଥିବା ଫସଲ ବିବରଣୀ ଏବଂ ଫସଲର କ୍ଷୟକ୍ଷତି ଆକଳନ ଜନିତ ତଥ୍ୟ ରହିବ। ଫଳରେ ଫସଲ ହାନି ବେଳେ ଚାଷୀଙ୍କୁ ତତ୍କାଳ କ୍ଷତିପୂରଣ ଦେବା ପାଇଁ ପ୍ରଶାସନକୁ ନିଷ୍ପତ୍ତି ନେବାରେ ଏହା ସହାୟକ ହୋଇପାରିବ।
ସମ୍ମିଳନୀରେ ଏଏମ୍‌ଆର୍‌ଟିର ଅଧିକାରୀ ରାଜେଶ ଚୁଣ୍ଡି ପ୍ରକଳ୍ପ ସମ୍ପର୍କରେ ସମ୍ୟକ ଧାରଣା ଦେବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ ଜିଲ୍ଲାରେ କୃଷିର ସ୍ଥିତି, ଫସଲ ବିବିଧିକରଣ ଓ ବିଭିନ୍ନ କୃଷି ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲେ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ତଥା ଏଡିଏମ୍ ମହେଶ୍ୱର ନାୟକ ରିମୋଟ୍ ସେନ୍‌ସିଂ ଡାଟାକୁ କିପରି ଜିଲ୍ଲାରେ କୃଷିର ବିକାଶ ପାଇଁ ଉପଯୋଗ କରାଯାଇପାରିବ, ତାହା ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେବିକେ ବୈଜ୍ଞାନିକ, ନାବାର୍ଡ, ମାର୍କଫେଡ୍‌, ଆର୍‌ଏମ୍‌ସି, କୃଷି ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.