ବଣାଇ:୨୦/୯(ସତ୍ୟାନ୍ୟୁଜ) ବଣାଇ ବନଖଣ୍ଡ ପକ୍ଷରୁ ବିଭିନ୍ନ ଫରେଷ୍ଟ ରେଞ୍ଜ ରେ ଚଢ଼ାଉ କରା ଯାଇ ୭୦ କେଜି ବାଉଁଶ କରଡ଼ି ଗଜା ଜବତ୍ କରା ଯାଇଛି। ବନ ବିଭାଗର ଅଚାନକ ଚଢ଼ାଉ ରେ ଜଙ୍ଗଲ ଜାତ ଦ୍ରବ୍ୟ ଲୁଟ୍ କରୁଥିବା ମାଫିଆ ମାନେ ଫେରାର ହୋଇ ଯାଇଛନ୍ତି।
ତେବେ ଜଙ୍ଗଲରୁ ବିଭିନ୍ନ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ବାଉଁଶ କରଡ଼ି ଗଜା ଜବତ୍ ପାଇଁ
ଏନଫୋର୍ସମେଣ୍ଟ ଟିମ୍ ଗଠନ କରିବା ନିଶ୍ଚିତ ଭାବେ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଏହି ଚଢାଉ ଉଦ୍ଦେଶ୍ୟ ଅଲଗା। ବାଉଁଶ କରଡ଼ି ଜଙ୍ଗଲରେ ଏକ ବଡ ପ୍ରାକୃତିକ ସମ୍ପଦ। ଏହା ବନ୍ୟପ୍ରାଣୀ ଙ୍କ ପାଇଁ ଖାଦ୍ୟର ଏକ ପ୍ରମୁଖ ଉତ୍ସ। ବିଶେଷ କରି ଜଙ୍ଗଲରେ ହାତୀ ମାନେ ଏହାକୁ ଖାଦ୍ୟ ଭାବେ ବେଶ୍ ଆନନ୍ଦରେ ଖାଇ ଥାଆନ୍ତି। ମାତ୍ର ଜଙ୍ଗଲ ମାଫିଆ ମାନେ ବାଉଁଶ ଗଛ କାଟି ଏହାର କରଡ଼ି ଗଜା କୁ ଆଣି ସହରରେ ବିକ୍ରି କରିବାକୁ ଚାଲାଣ କରିଥାନ୍ତି। ଫଳରେ ହାତୀ ମାନେ ସେମାନଙ୍କ ପାରମ୍ପରିକ ଖାଦ୍ୟ ନପାଇ ଗାଁ ଏବଂ ସହର ମୁହାଁ ହୋଇଥାନ୍ତି। ସମୟେ ସମୟେ ହାତୀ ମଣିଷ ଲଢେଇ ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହୋଇଥାଏ। ଏବେ ବନ ବିଭାଗ ଲାଗି ଏହା ମୁଣ୍ଡବ୍ୟଥା ର ପ୍ରମୁଖ କାରଣ ହୋଇଥିବାରୁ ବନ୍ୟପ୍ରାଣୀ ଙ୍କ ଖାଦ୍ୟ ସୁରକ୍ଷା ହେତୁ
ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରା ଯାଇଛି। ଏହି ଟିମ୍ ବନ୍ୟପ୍ରାଣୀ ଙ୍କ ଖାଦ୍ୟ କୁ ଜଙ୍ଗଲରେ ସୁରକ୍ଷିତ ରଖିବା ଲାଗି ଜଙ୍ଗଲ ମାଫିଆଙ୍କ ଉପରେ ଚଢ଼ାଉ ଜାରି ରଖିଛନ୍ତି। ବିଶେଷ କରି ବାଉଁଶ କରଡ଼ି ଗଜା ହାତୀଙ୍କ ପାଇଁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ରେ ଏହି ଚଢାଉ ଜାରି ରହିବ ବୋଲି ବଣାଇ ଡିଏଫ୍ଓ କହିଛନ୍ତି।