ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ।।ଫୋଟ ପ୍ରଦର୍ଶନୀ , ପୁରଷ୍କାର ବିତରଣ , ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ।
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳିତ
ସୁନ୍ଦରଗଡ଼:୧/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ମହକୁମାଠାରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ, ସାଧାରଣ ସଭା, ପୁରସ୍କାର ବିତରଣ ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
ଏହି ଅବସରରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରତି ଅବଦାନ ଥିବା ଓଡ଼ିଶାର ସମସ୍ତ ବରପୁତ୍ର ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ ନିଜ ମାଟି , ନିଜ ସଂସ୍କୃତି, ନିଜ ମାତୃଭାଷାକୁ ନେଇ ସର୍ବଦା ଗର୍ବ କରିବା ସହିତ ଏହାକୁ ଆଗେଇ ନେବା ଉପରେ ଗୁରୁତ୍ଵାରୋପ କରିଥିଲେ । ଆମର ବରପୁତ୍ର ମାନେ ସ୍ୱତନ୍ତ ଓଡ଼ିଶା ପ୍ରେଦେଶ ଗଠନ ନିମନ୍ତେ ବହୁତ ତ୍ୟାଗ ଦେଇଥିଲେ, ସମସ୍ତ ଯୁବ ପିଢ଼ି ମାନେ ସେହି ତ୍ୟାଗକୁ ସର୍ବଦା ସ୍ମରଣ କରିବା ସହିତ ଓଡ଼ିଶା କୁ ବିକାଶ ଦିଗରେ ଆହୁରି ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଅତିଥି ଭାବେ ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗ ଦେଇ ଓଡ଼ିଶାର ସମସ୍ତ ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ମାତୃଭାଷା ତଥା ଓଡ଼ିଆ ଜାତି କୁ ଆହୁରି ଆଗେଇ ନେବା ଉପରେ ନିଜର ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମ ରେ ସଙ୍ଗୀତ ମହାବିଦ୍ୟାଳୟ ବିଭାପା ଦ୍ଵାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନି ଜଣ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବିଭିନ୍ନ ଅନୁଷ୍ଠାନ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାଗିରଥୀ ପଟେଲ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁଶୀଳା ରଥ ଓ ଶ୍ରୀ ଶେଷଦେବ ନନ୍ଦ ପରିଚାଳନା କରିଥିଲେ ।
ଏହି ଅବସରରେ ଆଜି ଏକ ଫଟୋ ଚିତ୍ର ପ୍ରଦର୍ଶନୀ କୁ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ପୌର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ଓଡ଼ିଶାର ବରପୁତ୍ର ଏବଂ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କିତ ବିଭିନ୍ନ ଘଟଣାବଳୀ ଉପରେ ଫଟୋ ଚିତ୍ର ଗୁଡିକ ସ୍ଥାନିତ ହୋଇଥିଲା।
ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ଆଜି ପ୍ରାତଃ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପରେ ସହର ସମେତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଥିବା ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରସାଶନ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।