ଶବ ଯାତ୍ରା ସମୟରେ ଦୁର୍ଘଟଣା: ହାଇୱା ଧକ୍କାରେ ଜଣେ ମୃତ, ୬ ଆହତ
ରାଉରକେଲା, ୧୨/୭: ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ମୋଡ଼ ନିକଟରେ ରବିବାର ସନ୍ଧ୍ୟାରେ ଏକ ଶବ ଯାତ୍ରା ବେଦବ୍ୟାସ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଟ୍ରକ୍। ବେଦବ୍ୟାସ ଶ୍ମଶାନକୁ ଯାଉଥିବା ଶବଯାତ୍ରାରେ ସାମିଲ ଲୋକଙ୍କୁ ନେଇ ଯାଉଥିବା ଟ୍ରକକୁ ପଛପଟୁ ଏକ ଦ୍ରୁତଗତି ହାଇୱା ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ଟ୍ରକରେ ବସିଥିବା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁଯାୟୀ, ବଣ୍ଡାମୁଣ୍ଡା ଡି ସେକ୍ଟରର ବାସିନ୍ଦା ଶିବ ପ୍ରସାଦଙ୍କ ମୃତଦେହକୁ ଏକ ପିକ୍ଅପ୍ ଭ୍ୟାନରେ ବେଦବ୍ୟାସ ଶ୍ମଶାନକୁ ନିଆଯାଉଥିଲା। ପଛରେ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ଅନ୍ୟ ଏକ ଟ୍ରକରେ ଶେଷକୃତ୍ୟ ପାଇଁ ଯାଉଥିବାବେଳେ ଟିସିଆଇ ମୋଡ଼ ନିକଟରେ ହାଇୱାଟି ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା।
ଆହତମାନଙ୍କୁ ତୁରନ୍ତ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।