ରାଉରକେଲା: ସାମାନ୍ୟ ଘରୋଇ କଳହ କୁ କେନ୍ଦ୍ର କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ।। ଅଭିଯୁକ୍ତ ସ୍ୱାମୀ ଗିରଫ।

0 81

ଖାଇବା ପରିବେଷଣରେ ବିଳମ୍ବକୁ କେନ୍ଦ୍ର କରି ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ, ଦୁଇ ଶିଶୁ ହେଲେ ମା’ଛେଉଣ୍ଡ

ରାଉରକେଲା, ୧୨/୭:
(ସତ୍ୟାନ୍ୟୁଜ) ରାଉରକେଲା ରଘୁନାଥପାଲି ଥାନା ଅଞ୍ଚଳର ଲେବର ଟେନାମେଣ୍ଟ କମ୍ୟୁନିଟି ହଲ୍ ନିକଟ ନେତାଜୀ ନଗର ପାହାଡ଼ ଉପର ବସ୍ତିରେ ଶନିବାର ବିଳମ୍ବିତ ରାତିରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ବାସିନ୍ଦା ସୁନୀତା ବିଲୁଙ୍ଗଙ୍କୁ ତାଙ୍କ ସ୍ୱାମୀ ସଞ୍ଜୟ ପାରିବାରିକ କଳହ ଯୋଗୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସଞ୍ଜୟ ମଦ୍ୟପ ଅବସ୍ଥାରେ ଘରକୁ ଫେରି ଖାଇବା ପରିବେଷଣରେ ବିଳମ୍ବକୁ ନେଇ ସ୍ତ୍ରୀଙ୍କ ସହ ବଚସା କରିଥିଲେ। ପରେ ଏକ ଭଙ୍ଗା ଟାଇଲ୍‌ରେ ମୁଣ୍ଡକୁ ଆକ୍ରମଣ କରିବାରୁ ସୁନୀତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି।
ଘଟଣା ପରେ ଅଭିଯୁକ୍ତ ଫେରାର ହୋଇ ଯାଇ ଥିଲେ। ତେବେ ତାଜା ସୂଚନା ଅନୁସାରେ ତାଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚୁରା କରୁଛି।
ଖବର ପାଇ ରଘୁନାଥପାଲି ଥାନା ପୁଲିସ, ବୈଜ୍ଞାନିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାନପୋଷ ଏସଡିପିଓ ସୁଶାନ୍ତ କୁମାର ଦାସ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ମୃତ ସୁନୀତାଙ୍କର ଦୁଇ ଛୋଟ ଛୋଟ ଶିଶୁ ରହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଉଦବେଗ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Leave A Reply

Your email address will not be published.