ରାଉରକେଲା : ପ୍ଲାଣ୍ଟ ସାଇଟ୍ ଥାନାରେ ନିଶା ମୁକ୍ତ ଓଡ଼ିଶା ଅଭିଯାନ।। ଉପସ୍ଥିତ ଲୋକଙ୍କୁ ଶପଥ ପାଠ କରାଇଲେ ଇନ୍ସପେକ୍ଟର ।
ରାଉରକେଲା:୧/୭ (ସତ୍ୟାନ୍ୟୁଜ):
ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା “ନିଶାମୁକ୍ତ ଓଡ଼ିଶା ଅଭିଯାନ” ଅନ୍ତର୍ଗତ ମଙ୍ଗଳବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ , ପୋଲିସ୍ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ସଂସ୍ଥାରେ ସଚେତନତା କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇ ଯାଇଛି।
ଏହି ଅବସରରେ ଅଧିକାରୀ, କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ନିଶାଦ୍ରବ୍ୟ ସେବନରୁ ଦୂରେଇ ରହିବା ସହ ସମାଜକୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କୁ ସଚେତନ କରିବାର ଶପଥ ନେଇଥିଲେ।
ଏହି ପରିପ୍ରେକ୍ଷୀରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପରିସରରେ ନିଶା ମୁକ୍ତ ଓଡ଼ିଶା ଅଭିଯାନ ଜରିଆରେ ଶପଥ ପାଠ କରା ଯାଇଥିଲା। ଥାନା ଇନ୍ସପେକ୍ଟର ବିଭତ୍ସ ପ୍ରଧାନ ଉପସ୍ଥିତ ନାଗରିକଙ୍କୁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ଇଣ୍ଟିଗ୍ରେସନ୍ ଫୋରମ୍ ସଦସ୍ୟ , ଶାନ୍ତି କମିଟି ସଦସ୍ୟ , ସାଧାରଣ ନାଗରିକ ଯୋଗ ଦେଇଥିଲେ।
ବକ୍ତାମାନେ କହିଥିଲେ ଯେ, ନିଶା ସେବନ କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟ ନୁହେଁ, ପରିବାର ଓ ସମାଜ ଉପରେ ମଧ୍ୟ କୁପ୍ରଭାବ ପକାଇ ଥାଏ। ତେଣୁ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ବକ୍ତା ମାନେ ଆହ୍ୱାନ କରିଥିଲେ ।
ରାଜ୍ୟବ୍ୟାପୀ ଚାଲିଥିବା ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ି ଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ଓଡ଼ିଶା ଗଠନ ଉପରେ ଥାନା ଇନ୍ସପେକ୍ଟର ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଥିଲେ।